ଆଜି ସାରା ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ । ସ୍ବାଧୀନତା ଦିବସ ପାଳନ ପାଇଁ ପଲ୍ଲୀରୁ ଦିଲ୍ଲୀ ଉତ୍ସବମୁଖର ହୋଇଉଠିଛି । ସହରଠାରୁ ଗାଁ, ସ୍କୁଲ୍ଠାରୁ କଲେଜ୍, ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ଜାତୀୟ ପତାକା ଉଡ଼ାଇ ସ୍ବାଧୀନତା ଦିବସ ପାଳନ କରାଯାଉଛି । ଦେଶପ୍ରେମର ଭାବନାରେ ସାରା ପରିବେଶ ମୁଖରିତ ହୋଇଛି।
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ ଶାସନରୁ ସ୍ବାଧୀନତା ଲାଭ କରିଥିଲା । ଏହି ଐତିହାସିକ ଦିନକୁ ମନେ ପକାଇ ପ୍ରତିବର୍ଷ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳନ କରାଯାଏ । ଦେଶକୁ ସ୍ବାଧୀନ କରିବା ପାଇଁ ଯେଉଁ ସ୍ବାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ବାଜି ଲଗାଇଥିଲେ, ଏହି ଦିନ ସେମାନଙ୍କର ତ୍ୟାଗ ଓ ବଳିଦାନକୁ ସମଗ୍ର ଦେଶ ସ୍ମରଣ କରେ।
ଏହି ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ମୁଖ୍ୟ ସ୍ବାଧୀନତା ଦିବସ ସମାରୋହ ଆୟୋଜିତ ହେଉଛି। ଜାତୀୟ ପତାକା ଉତ୍ତୋଳନ ପରେ ଦେଶବାସୀଙ୍କୁ ସମ୍ବୋଧନ କରାଯାଉଛି । ଏହାସହ ସୁରକ୍ଷା ବାହିନୀଙ୍କ ପକ୍ଷରୁ ପରେଡ୍ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ସ୍ବାଧୀନତା ଦିବସକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି । ସ୍କୁଲ୍ ଓ କଲେଜ୍ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ଭାଷଣ ଓ ନାଟକ ପରିବେଷଣ କରୁଛନ୍ତି । ଅନେକ ସ୍ଥାନରେ ପ୍ରଭାତଫେରୀ, ତ୍ରିରଙ୍ଗା ଯାତ୍ରା ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି ।
ବଜାର, ରାସ୍ତାଘାଟ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ତ୍ରିରଙ୍ଗା ରଙ୍ଗରେ ସଜେଇ ଦିଆଯାଇଛି। ଘରେ ଘରେ ମଧ୍ୟ ଜାତୀୟ ପତାକା ଉଡ଼ୁଛି। ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦେଶପ୍ରେମର ଭାବନାରେ ଏହି ଦିନକୁ ପାଳନ କରୁଛନ୍ତି । ସ୍ବାଧୀନତା ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଦେଶ ପ୍ରତି ଆମର ଦାୟିତ୍ବ ଓ କର୍ତ୍ତବ୍ୟକୁ ମନେ ପକାଇବାର ଏକ ଅବସର। ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ସମସ୍ତେ ମିଳିତ ଭାବେ କାମ କରିବାର ସଂକଳ୍ପ ନେଉଛନ୍ତି। ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନର ଭାରତ ଗଢ଼ିବା ଦିଗରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି ପବିତ୍ର ଦିନରେ ସହିଦ ଓ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରି ସମଗ୍ର ଦେଶ ଏକ ସ୍ବରରେ ‘ଜୟ ହିନ୍ଦ’ ଓ ‘ବନ୍ଦେ ମାତରମ୍’ ଧ୍ବନିରେ ମୁଖରିତ ହୋଇଉଠିଛି ।

