ସୁପର ଏଲ୍ ନିନୋ ସଙ୍କଟ । ପରିବେଶବିତଙ୍କ ଚେତାବନୀ । ଭାରତକୁ ମହାବାତ୍ୟା-ଉତ୍ତାପ ଭୟ । ଆସୁଛି ବଡ଼ ବିପତ୍ତି । ନଭେମ୍ବର ୨୦୨୬ ରୁ ୨୦୨୭ ପ୍ରାରମ୍ଭିକ ମାସଗୁଡ଼ିକ ମଧ୍ୟରେ ଭାରତକୁ ଏକ ଭୟଙ୍କର “ସୁପର” ଏଲ୍ ନିନୋ (Super El Nino) ପ୍ରଭାବିତ କରିବାକୁ ଯାଉଛି । ଏହାକୁ ନେଇ ୧୮୮ ଜଣ ଭାରତୀୟ ପରିବେଶ ବିଜ୍ଞାନୀ ଏକ ଜରୁରୀକାଳୀନ ଚେତାବନୀ ଜାରି କରିଛନ୍ତି ।
ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪.୦°C ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶଙ୍କା ଥିବାରୁ, ବୈଜ୍ଞାନିକମାନେ ତୁରନ୍ତ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ସମୁଦ୍ରର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବ । ଯାହା ଭାରତର ସାମୁଦ୍ରିକ ଅଞ୍ଚଳରେ ଥିବା ସୂକ୍ଷ୍ମ ପ୍ରବାଳ ପ୍ରାଚୀର ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବ । ପଶ୍ଚିମଘାଟ ଭଳି ସମ୍ବେଦନଶୀଳ ଅଞ୍ଚଳରେ ଲମ୍ବା ସମୟ ଧରି ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ । ଯାହାଫଳରେ ବଡ଼ ବଡ଼ କ୍ରାନ୍ତୀୟ ବୃକ୍ଷ ଗୁଡ଼ିକ ଶୁଖିଯିବେ ଏବଂ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବହୁତ ବଢ଼ିଯିବ । ଅତ୍ୟଧିକ ଗରମ ଏବଂ ଦୁର୍ବଳ ମୌସୁମୀ ବାୟୁ ଯୋଗୁଁ ଜଳାଶୟଗୁଡ଼ିକର ଜଳସ୍ତର ହ୍ରାସ ମଧ୍ୟ ପାଇବ । ଏହା ସିଧାସଳଖ ଶୀତକାଳୀନ ଫସଲ ଉପରେ ଖରାପ ପ୍ରଭାବ ପକାଇବ । ଯାହା ଚାଷୀ, ଗୋପାଳକ ଏବଂ ମତ୍ସ୍ୟଜୀବୀମାନଙ୍କ ପାଇଁ ସଙ୍କଟ ଆଣିବ ।
କଂକ୍ରିଟ୍ ସହରଗୁଡ଼ିକରେ ହିଟ୍-ଆଇଲ୍ୟାଣ୍ଡ ପ୍ରଭାବ ଯୋଗୁଁ ଲକ୍ଷ ଲକ୍ଷ ସହରବାସୀ ଅସହ୍ୟ ଗରମର ସାମ୍ନା କରିବେ । ବୈଜ୍ଞାନିକମାନଙ୍କ ଅନୁସାରେ, ଏହି “ସୁପର” ଏଲ୍ ନିନୋ ଯୋଗୁଁ ଗଛଗୁଡ଼ିକରେ ଠିକ୍ ସମୟରେ ଫଳ ଫଳିବ ନାହିଁ ଏବଂ ପଶୁପକ୍ଷୀଙ୍କ ପ୍ରଜନନ ତଥା ପ୍ରବାସ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହେବ । ଏହି ଚେତାବନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ସଂସ୍ଥା ଏବଂ ପାଣ୍ଠି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କୁ ଜରୁରୀକାଳୀନ ଅନୁସନ୍ଧାନ ପାଇଁ ଅନୁମତି ଓ ସହାୟତା ମାଗିବା । ବୈଜ୍ଞାନିକମାନଙ୍କ ମତରେ, ଏହି ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ପାରିବା ନାହିଁ, କିନ୍ତୁ ସ୍ଥାନୀୟ ପାଣିପାଗ କେନ୍ଦ୍ର ଏବଂ ପରିବେଶ ଉପରେ ନଜର ନ ରଖିଲେ ଆଗାମୀ ଦିନରେ ଏହାର ପରିଣାମ ଆହୁରି ଭୟଙ୍କର ହେବ ।
