ଯାହା ଭୟ ଥିଲା ତାହା ଘଟିଲା । ଭାରତୀୟ ଷ୍ଟକ୍ ବଜାର ଖୋଲିବା ମାତ୍ରେ କ୍ରାସ୍ ହୋଇଗଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ସେନସେକ୍ସ ପୂର୍ବ ବନ୍ଦ ତୁଳନାରେ ୭୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି, ସେପଟେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ସୂଚକାଙ୍କ ୧୭୫ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ବଜାରରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି । ବିଦେଶରୁ ମଧ୍ୟ ସେନସେକ୍ସ ଏବଂ ନିଫ୍ଟି ପାଇଁ ଲାଲ ସଙ୍କେତ ମିଳିଛି ।
- କେତେ ହ୍ରାସ ପାଇଲା ସେନସେକ୍ସ ?
ପଶ୍ଚିମ ଏସିଆରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଶେଷ ହୋଇଛି, ଯାହା ଫଳରେ ସେଠାରେ ପୁଣି ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାଦ୍ଵାରା ଆଜି ଘରୋଇ ଷ୍ଟକ ବଜାରରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ସକାଳ ୯.୨୦ଟାରେ, ସେନସେକ୍ସ ୭୭,୮୯୮.୪୦ରେ କାରବାର କରୁଥିଲା, ଯାହା ୬୧୮.୦୯ ପଏଣ୍ଟ ବା ୦.୭୯% ହ୍ରାସ ପାଇଛି । ସେପଟେ ନିଫ୍ଟି ମଧ୍ୟ ୧୮୩.୪୦ ପଏଣ୍ଟ ବା ୦.୭୫% ହ୍ରାସ ପାଇ ୨୪,୧୯୪.୭୦ରେ ପହଞ୍ଚିଛି ।
- ଏହି ସେୟାର ଅଧିକ ପ୍ରଭାବିତ
ସେନସେକ୍ସର ୩୦ଟି ଷ୍ଟକ ମଧ୍ୟରୁ ୨୫ଟି କ୍ଷତି ସହିତ ଖୋଲିଛି । ଇଣ୍ଡିଗୋ ସବୁଠାରୁ ଅଧିକ କ୍ଷତି ସହିଛି । ପ୍ରାରମ୍ଭିକ କାରବାରରେ ଦେଶର ସର୍ବବୃହତ ବିମାନ କମ୍ପାନୀର ସେୟାର ୨%ରୁ ଅଧିକ ହ୍ରାସ ପାଇଛି । ସେହିପରି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବଜାଜ ଫାଇନାନ୍ସ, ଅଲଟ୍ରାଟେକ୍ ସିମେଣ୍ଟ, ଇଟର୍ନାଲ୍ ଏବଂ ମାରୁତି ମଧ୍ୟ ୧%ରୁ ଅଧିକ ହ୍ରାସ ପାଇଛି । ଏହାବ୍ୟତୀତ HCL Tech, PowerGrid, TCS, BEL ଏବଂ Sun Pharma ଲାଭବାନ ହୋଇଛନ୍ତି । ରିଲାଏନ୍ସ ସେୟାର ପ୍ରାୟ ୧% ହ୍ରାସ ପାଇ ₹୧୩୪୬ରେ ପହଞ୍ଚିଛି ।
- ଷ୍ଟକ୍ ବଜାର କାହିଁକି ଭୁଶୁଡ଼ିଲା ?
ସେୟାର ମାର୍କେଟରେ ଆସୁଥିବା ଏହି ବଡ଼ ଝଡର ମୁଖ୍ୟ କାରଣ ହେଉଛି ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି । ଏହାର ପ୍ରଭାବ କେବଳ ଭାରତ ନୁହେଁ, ବରଂ ବିଶ୍ଵର ସମସ୍ତ ସେୟାର ବଜାର ଉପରେ ପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ପ୍ରତି ବ୍ୟାରେଲ ୧୦୦ ଆମେରିକୀୟ ଡଲାର ଅତିକ୍ରମ କରିଛି । ବ୍ରେଣ୍ଟ କ୍ରୁଡ୍ ଦର ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇ ପ୍ରତି ବ୍ୟାରେଲ ପିଛା ୧୦୪ ଆମେରିକୀୟ ଡଲାରରେ ଟ୍ରେଡ୍ କରୁଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏପ୍ରିଲ ୭ ତାରିଖରେ ଘୋଷିତ ଯୁଦ୍ଧବିରତି ବଳବତ୍ତର ରହିବ, କିନ୍ତୁ ଇରାନ କୌଣସି ଶାନ୍ତି ବୈଠକରେ ସାମିଲ ହେବାକୁ ମନା କରିଦେଇଛି । ଏହି ସମୟରେ ଉଭୟ ପକ୍ଷ ହର୍ମୁଜ ପ୍ରଣାଳୀରେ ଅବରୋଧ ବଜାୟ ରଖିଛନ୍ତି । ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଆସୁଥିବା କିଛି ଜାହାଜ ଉପରେ ଗୁଳି ଚଳାଇଛି ଏବଂ ସେମାନଙ୍କ ମଧ୍ୟରୁ କିଛି ଜାହାଜକୁ ଜବତ କରିଛି । ଏହା ନିବେଶକମାନଙ୍କୁ ଚିନ୍ତିତ କରିଛି ।

