ବଲିଉଡ୍ର ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼ ଉଠିଛି । ସ୍ୱାମୀ ଗୌତମ ହାତିରମଣିଙ୍କଠାରୁ ଅଲଗା ହେବାକୁ ଘୋଷଣା କରିଛନ୍ତି କନିକା । ୨୦୨୨ ମସିହାରେ ଲଣ୍ଡନରେ ଉଭୟଙ୍କ ବିବାହ ହୋଇଥିଲା । ହେଲେ ବିବାହର ମାତ୍ର କିଛି ବର୍ଷ ପରେ ଏବେ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ନିଜେ କନିକା ଏହି ସୂଚନା ଦେଇଛନ୍ତି । ଏଥିସହ ଏହି ସମୟରେ ତାଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ।
ନିଜର ବିବୃତ୍ତିରେ କନିକା କହିଛନ୍ତି ଯେ, ବହୁ ଚିନ୍ତା ଓ ବିଚାର ବିମର୍ଶ ପରେ ସେ ଏବଂ ତାଙ୍କ ସ୍ୱାମୀ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏକାଠି ବିତାଇଥିବା ସମୟ ପାଇଁ ସେ କୃତଜ୍ଞ ଥିବାବେଳେ ଗୌତମଙ୍କ ଭବିଷ୍ୟତ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି । ଏହାସହ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଥିବାରୁ ବ୍ୟକ୍ତିଗତ ଜୀବନକୁ ନେଇ ଅଯଥା ଚର୍ଚ୍ଚା ନକରିବାକୁ ସେ ଅନୁରୋଧ କରିଛନ୍ତି ।
ତେବେ ଏହି ବିଚ୍ଛେଦ ପଛରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ହାତ ନଥିବା କନିକା ସ୍ପଷ୍ଟ କରିଛନ୍ତି। ଏକ ନ୍ୟୁଜ୍ ପୋର୍ଟାଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ତାଙ୍କ ଜୀବନରେ ଅନ୍ୟ କେହି ନାହାନ୍ତି ଏବଂ ତାଙ୍କ ଜାଣିବା ଅନୁସାରେ ଗୌତମଙ୍କ ଜୀବନରେ ମଧ୍ୟ ଅନ୍ୟ କେହି ନାହାନ୍ତି। ଏଥିସହ ଗୌତମ ରହୁଥିବା ଲାଗୋସକୁ କାମ ପାଇଁ ଯିବାକୁ ସେ ମନା କରିଥିବା ନେଇ ହେଉଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଛନ୍ତି।
କନିକା ଆହୁରି କହିଛନ୍ତି ଯେ, ଏହା ତାଙ୍କ ଜୀବନର ଦ୍ୱିତୀୟ ଛାଡ଼ପତ୍ର ହୋଇଥିବାରୁ ସେ ଅତ୍ୟନ୍ତ ଦୁଃଖିତ ଓ ନିରାଶ । ବର୍ତ୍ତମାନ ସେ ମୁମ୍ବାଇରେ ରହି ତିନୋଟି ପ୍ରୋଜେକ୍ଟରେ କାମ କରୁଛନ୍ତି। ତାଙ୍କର ତିନି ଜଣ ସନ୍ତାନ ଥିବାରୁ ସେମାନଙ୍କ ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ରହିଛି। ତେବେ ଭବିଷ୍ୟତରେ ଗୌତମଙ୍କ ସହ ତାଙ୍କ ସମ୍ପର୍କ ସୌହାର୍ଦ୍ଦପୂର୍ଣ୍ଣ ରହିବ ବୋଲି ସେ ଆଶା ରଖିଛନ୍ତି । ସୂଚନା ଅନୁସାରେ, କନିକା ଓ ଗୌତମ ପ୍ରଥମେ ଭଲ ବନ୍ଧୁ ଥିଲେ। ପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ।
୨୦ ମେ ୨୦୨୨ରେ ଲଣ୍ଡନର ଏକ ପଞ୍ଚତାରକା ହୋଟେଲରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ହୋଇଥିଲା । ଏହା କନିକାଙ୍କ ଦ୍ୱିତୀୟ ବିବାହ ଥିଲା। ଏହା ପୂର୍ବରୁ ସେ ଲଣ୍ଡନର ଡାକ୍ତର ଜସପ୍ରୀତ ସିଂହ ଚାଣ୍ଡୋକଙ୍କୁ ବିବାହ କରିଥିଲେ । ୨୦୧୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ପ୍ରଥମ ବିବାହରୁ କନିକାଙ୍କର ତିନି ଜଣ ସନ୍ତାନ ଆୟନା, ସମାରା ଓ ଯୁବରାଜ ଅଛନ୍ତି।
ସଙ୍ଗୀତ ଦୁନିଆରେ କନିକା କପୁରଙ୍କ ନାଁ ବେଶ୍ ପରିଚିତ । ୨୦୧୨ରେ ‘ଜଗନି ଜୀ’ ଗୀତରୁ ସେ ସଫଳତା ପାଇଥିବା ବେଳେ ୨୦୧୪ରେ ‘ବେବି ଡଲ୍’ ଗୀତ ତାଙ୍କୁ ରାତାରାତି ଲୋକପ୍ରିୟ କରିଥିଲା । ଏହାପରେ ସେ ‘ଚିଟିଆଁ କଲାଇଁ’, ‘ଟୁକୁର ଟୁକୁର’, ‘ଗେଣ୍ଡା ଫୁଲ୍’ ଏବଂ ‘ଓ ବୋଲେଗା ୟା ଓଓ ବୋଲେଗା’ ଭଳି ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି । ତେବେ ଏବେ ତାଙ୍କ ବ୍ୟକ୍ତିଗତ ଜୀବନର ଏହି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।



