ପୁରୀ ଆସିଥିଲା ପାକିସ୍ତାନୀ ସ୍ପାଏ । ଜଗନ୍ନାଥ ମନ୍ଦିର ସହ ସହର ବୁଲି ଭିଡିଓ ବନାଇଥିଲା ପାକ ସ୍ପାଏ ଜ୍ୟୋତି ମଲହୋତ୍ରା। ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭକୁ ଭାରତର ସମ୍ବେଦନଶୀଳ ସୂଚନା ପ୍ରଦାନ କରୁଥିବା ଅଭିଯୋଗରେ ଏହି ୬ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନେଟୱର୍କ ହରିୟାଣା ଏବଂ ପଞ୍ଜାବ ଯାଏଁ ଲମ୍ବିଛି ।
ଏହି ଗୁପ୍ତଚର ଜ୍ୟୋତି ମଲହୋତ୍ରା ୭ ମାସ ତଳେ ପୁରୀ ଆସିଥିଲା । ପୁରୀ ଆସି ବାହାରୁ ଜଗନ୍ନାଥ ମନ୍ଦିରର ଭିଡିଓ ବନାଇଥିଲା । ଏହାସହ ସମୁଦ୍ରକୂଳ ଓ ସହରର ମଧ୍ୟ ଭିଡିଓ କରି ନିଜ ସୋସିଆଲ ମିଡିଆରେ ଛାଡ଼ିଥିଲା। ଅଭିଯୁକ୍ତ ଜ୍ୟୋତି ମଲହୋତ୍ରା ଜଣେ ଟ୍ରାଭେଲ ବ୍ଲଗର ଏବଂ ସେ କମିଶନ ଏଜେଣ୍ଟଙ୍କ ମାଧ୍ୟମରେ ୨୦୨୩ରେ ପାକିସ୍ତାନ ଯାଇଥିଲେ । ଏହି ଯାତ୍ରା ସମୟରେ ନୂଆ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ ସଦସ୍ୟ ଏହସାନ ଉର ରହିମ ସହ ତାଙ୍କର ଘନିଷ୍ଠତା ବଢିଥିଲା । ଏହସାନ ଉର ରହିମ ହିଁ ଜ୍ୟୋତିଙ୍କୁ ପାକିସ୍ତାନର ଅନେକ ଇଣ୍ଟେଲିଜେନ୍ସ ଅପରେଟିଭଙ୍କ ସହ ଭେଟ କରାଇଥିଲା । ପରେ ଭାରତର ସମ୍ବେଦନଶୀଳ ସୂଚନା ସବୁ ପାକିସ୍ତାନକୁ ପ୍ରଦାନ କରୁଥିଲେ ଜ୍ୟୋତି । ଏଥିସହ ସୋସିଆଲ ମିଡିଆରେ ପାକିସ୍ତାନର
ସକରାତ୍ମକ ଛବି ବନାଇ ରଖିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।
ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିଲେ । ସମସ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି । ତେବେ ଅପରେସନ ସିନ୍ଦୂର ଆରମ୍ଭ ହେବା ପରଠାରୁ ଏହି ଗିରଫଦାରୀ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି । ଜ୍ୟୋତି ମଲହୋତ୍ରା ପାକିସ୍ତାନ ଗସ୍ତ କରି ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଏବଂ ଇନଷ୍ଟାଗ୍ରାମ ପୃଷ୍ଠାରେ ଭିଡିଓ ପୋଷ୍ଟ କରିଥିଲେ । ପୋଲିସ ଅଧିକାରୀ କହିଛନ୍ତି ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ ବା POI ସହ ନିରନ୍ତର ସମ୍ପର୍କରେ ଥିଲେ ।
ଶତ୍ରୁ ପକ୍ଷକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରୁଥିଲେ । ଜ୍ୟୋତି ମଲହୋତ୍ରାଙ୍କର ୟୁଟ୍ୟୁବରେ ୩୭୭ ହଜାର ସବସ୍କ୍ରାଇବର ଏବଂ ଇନଷ୍ଟାଗ୍ରାମରେ ୧୩୨ ହଜାର ଫଲୋଅର ଅଛନ୍ତି। ସେ ଚଳିତ ବର୍ଷ ମାର୍ଚ୍ଚ ମାସରେ ପାକିସ୍ତାନ ଗସ୍ତ ସମ୍ପର୍କିତ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ । ସମସ୍ତଙ୍କୁ ଜେରା କରାଯାଉଛି ଏବଂ ତଥ୍ୟ ଯାଞ୍ଚ କରାଯାଉଛି । ହରିୟାଣାର ମସ୍ତଗଡ଼ ଚିକା ଗାଁର ଆଉ ଜଣେ ବ୍ୟକ୍ତିକୁ ସମାନ ଅପରାଧ ପାଇଁ ଗିରଫ କରାଯାଇଛି । ଏହା ପୂର୍ବରୁ, ପଞ୍ଜାବରେ ଦୁଇ ଜଣଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ଆଇଏସଆଇକୁ ପ୍ରଦାନ କରିବା ଅଭିଯୋଗରେ ଗିରଫ କରାଯାଇଥିଲା ।