ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପର ସକ୍ରିୟତା ଯୋଗୁଁ ରାଜ୍ୟରେ ଏହାର ପ୍ରଭାବ ରହିବ । ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ଏହାର ପ୍ରଭାବରେ ବର୍ଷା ଦେଖିବାକୁ ମିଳିପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ଓ ଅନୁଗୁଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବାର ସମ୍ଭାବନା ରହିଛି ।
ସେହିପରି ଆସନ୍ତାକାଲି(ଶୁକ୍ରବାର) ଉପକୂଳ ଓଡ଼ିଶାର କିଛି ଅଞ୍ଚଳମାନଙ୍କରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି କ୍ରମରେ ଡିସେମ୍ବର ୨୧ ତାରିଖରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱରରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
ଏହାସହ ଆସନ୍ତା ୨୪ ଘଣ୍ଟାରେ କୁହୁଡି କୌଣସି ଚେତାବନୀ ନଥିବା ବେଳେ ଆଗାମୀ ୪ଦିନ ଯାଏଁ ସର୍ବନିମ୍ନ ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କହିଛି ପାଣିପାଗ ବିଭାଗ । ଅର୍ଥାତ ଶୀତର ପ୍ରକୋପ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଡିସେମ୍ବର ୨୨ରୁ ପାଗରେ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଗତ ୨୪ ଘଣ୍ଟାରେ ରାଉରେକଲାରେ ସର୍ବନିମ୍ନ ତାପମାତ୍ରା ୮.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୨୦.୪ ଓ କଟକରେ ୧୮.୫ ସେଲ୍ସିୟସ୍ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।