ସଂଚାର ବ୍ୟୁରୋ: ପୁଣି ଯାତ୍ରାକୁ ନେଇ ଆସିଲା ବଡ ଖବର। କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିର୍ଦ୍ଦେଶ। ଥମିବା ବଦଳରେ ତୀବ୍ର ହେବାରେ ଲାଗିଛି କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ। କଳାକାରଙ୍କ ଉପରୁ ବ୍ୟାନ ହଟାଇବା ପାଇଁ କଳାକାର ସଂଘ ଦାବି କରିବା ସହ ଯାତ୍ରା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଯାତ୍ରା ମାଲିକଙ୍କୁ ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି ରାଜଧାନୀ ଅପେରା ପରିଚାଳକ ଜଗତ ଜୀବନ କହିଛନ୍ତି। କଳାକାର ଓ ମାଲିକଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପୁଣି ଏକାଠି ହୋଇଛନ୍ତି ଯାତ୍ରା ମାଲିକ। ଗତକାଲି ଚଣ୍ଡିଖୋଲରେ ଯାତ୍ରା ମାଲିକ ମାନେ ଏକାଠି ହୋଇଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି। ମାଲିକ ସଂଘ, କଳାକାର ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରେ ଲଗାଇଥିବା ବୟକଟକୁ ପ୍ରତ୍ୟାହାର କରାଯିବନି। ଅନ୍ୟପଟେ ଯାତ୍ରା ମାଲିକ ମାନେ କଳାକାର ବାପି ପଣ୍ଡାଙ୍କ ଉପରେ କଡ଼ା ଆଭିମୁଖ୍ୟ ନେଇଛନ୍ତି। ଆଗାମୀ ଦିନରେ ବାପି ପଣ୍ଡାଙ୍କୁ ସଂଘଭୁକ୍ତ କୌଣସି ଯାତ୍ରା ପାର୍ଟିରେ ରଖିବେ ନାହିଁ ବୋଲି ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି। ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା କରାଯିବା ପରେ ଏହି ନିଷ୍ପତ୍ତି ନିଆ ଯାଇଛି। ଏ ନେଇ ଯାତ୍ରା ମାଲିକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।