ସଂଚାର ବ୍ୟୁରୋ: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବଡ ବର୍ଷା । ଆଜି ଓଡ଼ିଶାରେ ସମସ୍ତ ଜିଲ୍ଲା ମାନଙ୍କର ଅଧିକାଂଶ ସ୍ଥାନରେ ପାଗ ଶୁଷ୍କ ଏବଂ ମେଘୁଆ ରହିଛି । ଗୁରୁଚାପ ବଳୟ ପ୍ରଭାବ ପାଇଁ ଆଗାମୀ ୬-୭ ଦିନ ଓଡ଼ିଶାରେ ବର୍ଷାରେ ମାତ୍ରାଧିକ କମି ସହ ପାଗ ଶୁଷ୍କ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଅକ୍ଟୋବର ୧-୨ ବେଳକୁ ଉତ୍ତର ଉପକୂଳ ଓ ସଲଗ୍ନ ଜିଲ୍ଲା ମାନଙ୍କରେ ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ଘଡଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ଗରମ ଗୁଳୁଗୁଳି ଜାରି ରହିବ ।
ମେଘମୁକ୍ତ ଆକାଶ ପାଇଁ ଟାଣ ଖରା ଏବଂ ବାୟୁମଣ୍ଡଳରେ ଉଚ୍ଚ ଆର୍ଦ୍ରତା ପାଇଁ ଗରମ ଗୁଳୁଗୁଳି ଜାରି ରହିବ । କିଛି ଜିଲ୍ଲାରେ ଅପରାହ୍ନ ସମୟରେ ଆକସ୍ମିକ ଭାବରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ବଜ୍ରପାତ ଜନିତ ବର୍ଷା ନେଇ ୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା ଏବଂ କଳାହାଣ୍ଡିକୁ ସତର୍କତା ଜାରି କରାଯାଇଛି । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ମାତ୍ର ୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।
ଯାହା ସ୍ବାଭାବିକ ବର୍ଷାର ପରିସରଭୁକ୍ତ । ଦୁଇଟି ଜିଲ୍ଲା ନୂଆପଡା ଏବଂ ମାଲକାନଗିରିରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ୪ଟି ଜିଲ୍ଲା ଭଦ୍ରକ, କେନ୍ଦୁଝର, ଦେବଗଡ ଏବଂ ଝାରସୁଗୁଡାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।