ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାଲକାନଗିରି ପିଏ ମୃତ୍ୟୁ ମାମଲାରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ଏନବିଡବ୍ଲ୍ୟୁ। କୋର୍ଟରେ ହାଜର ନହେବାରୁ ଜାମିନ ବିହିନ ଗିରଫ ପରୱାନା (NBW ) ଜାରି କଲେ ଏସ୍ଡିଜେଏମ୍ କୋର୍ଟ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳଙ୍କ ସହଯୋଗୀ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଏହି ଏନବିଡବ୍ଲ୍ୟୁ ଜାରି କରାଯାଇଛି। ୨୦୧୯ ଡିସେମ୍ବରରେ ଦେବ ନାରାୟଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଦେବ ନାରାୟଣଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଥିଲେ।
ଖବର ଅନୁଯାୟୀ, ଗତ ୨୦୧୯ ମେ’ ମାସ ୨୭ ତାରିଖରେ ପିଏ ଦେବ ନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ। ସେ ଅଫିସକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ଖୋଜଖବର ପାଇନଥିଲେ। ପରଦିନ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ଦେବ ନାରାୟଣଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ସ୍ବାମୀଙ୍କ ରହସ୍ୟଜନକ ମୃତ୍ୟୁ ପାଇଁ ପତ୍ନୀ ବନଜା ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଦାୟୀ କରିଥିଲେ। ପୁଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ମୃତକଙ୍କ ପରିବାର ଲୋକେ ମାଲକାନଗିରି ଏସଡିଜେଏମ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲା। ପୁଲିସ ଡିଜି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ।