ସଂଚାର ବ୍ୟୁରୋ: ରାଜ୍ୟରେ ଲାଗି ରହିବ ବର୍ଷା । ୧୪ ତାରିଖ ପର୍ଯ୍ୟନ୍ତ ରହିବ ଏଭଳି ସ୍ଥିତି । ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଯାହାକି ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ।
ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୧୧ ତାରିଖରେ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା ରହିଛି । ସେହିଭଳି ପ୍ରବଳ ବର୍ଷ ଓ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ନେଇ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।
ସେହିଭଳି ୧୨ ତାରିଖରେ ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟ୍କା ପବନ ବହିବା ନେଇ ୟେଲୋ ଆଲର୍ଟ ଦିଆଯାଇଛି । ବାକି ୨୭ ଜିଲ୍ଲାରେ ବଜ୍ରପାତ ହେବାର ଆଶଙ୍କା ରହିଛି ।
ସେହିଭଳି ୧୩ ଓ ୧୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟ୍କା ପବନ ବହିବା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

