ଆଜି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ୧୨୬ ବିଧାନସଭା ଆସନ ବିଶିଷ୍ଟ ରାଜ୍ୟ ଆସାମରେ ବିଜେପି ଏବେ ସୁଦ୍ଧା ୯୯ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଏହାର ସହଯୋଗୀ ଦଳ ସହିତ ୨୪ ଆସନରେ ଆଗୁଆ ରହିଛି । ଅନ୍ୟଦଳମାନେ ୨-୧ ଆସନରେ ଆଗୁଆ ରହିଛନ୍ତି । ଭୋଟ୍ ଗଣତି ଜାରି ଥିବାବେଳେ ପ୍ରାରମ୍ଭିକ ସଂଖ୍ୟା ଦର୍ଶାଉଛି ଯେ ବିଜେପି ଏକ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ନେଉଛି । ସେପଟେ ଭୋଗ ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାବେଳେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରାଯାଉଛି ।
ପୂର୍ବାହ୍ନ ଟ୍ରେଣ୍ଡ ଅନୁସାରେ ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ନେତୃତ୍ଵାଧୀନ NDA ମେଣ୍ଟ ସରକାର ହ୍ୟାଟ୍ରିକ୍ ବିଜୟ ହାସଲ କରି ତୃତୀୟ ଥର ସରକାର ଗଠନ କରିବ ବୋଲି ଦାବି କରୁଛି । ସେପଟେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ନେତୃତ୍ଵାଧୀନ ମେଣ୍ଟ ସରକାରକୁ ଫେରିବ ବୋଲି ଆଶା ରଖିଛି । ସକାଳୁ ସକାଳୁ ଭୋଟ ଗଣତି ପରଠାରୁ ଏନଡିଏ ମେଣ୍ଟକୁ ବହୁମତ ମିଳିଛି । ତେବେ ଦିନ ୧୧ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟ ୯୯ଟି ଆସନରେ ଆଗୁଆ ଅଛି । ଆସାମରେ ସରକାର ଗଠନ କରିବା ଲାଗି ମ୍ୟାଜିକ୍ ନମ୍ବର ହେଉଛି ୬୪ ।
ଆସାମରେ ୯ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିବାବେଳେ ରେକର୍ଡ ସଂଖ୍ୟକ ଭୋଟିଂ ରେକର୍ଡ ହୋଇଛି । ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶ, ଏନଆରସି, ସିଏଏ, ବନ୍ୟା, ବେରୋଜଗାର, ଚା’ ବଗିଚା ଶ୍ରମିକଙ୍କ ସ୍ଥିତି ଓ ବିକାଶ ଭଳି ପ୍ରସଙ୍ଗ ଉଠାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ବଡ଼ ବଡ଼ ନେତା ରାଜ୍ୟରେ ରାଲି ଓ ରୋଡ୍ ଶୋ’ କରିଥିଲେ ।
- ଏକଜିଟ୍ ପୋଲ୍ ହୋଇପାରେ ଏକଜାଟ୍
ଆସାମରେ ପୁଣି କ୍ଷମତାସୀନ ହୋଇପାରେ ବିଜେପି ନେତୃତ୍ଵାଧିନ NDA । ୧୨୬ ବିଧାନସଭା ଆସନ ବିଶିଷ୍ଟ ଆସାମରେ NDAକୁ ବହୁମତ ମିଳିବ ବୋଲି ଏକଜିଟ୍ ପୋଲ୍ ଦର୍ଶାଇଥିଲା । ତେବେ ସକାଳୁ ଏଯାବତର ଟ୍ରେଣ୍ଡ ଅନୁସାରେ ଆସାମରେ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟକୁ ବହୁମତ ମିଳୁଥିବା ଦେଖାଯାଉଛି । ଯଦି ଏକଜିଟ୍ ପୋଲ୍ ଏକଜାଟ୍ ହୁଏ, ତେବେ ତୃତୀୟ ଥର ପାଇଁ ବିଜେପି ଆସାମରେ ସରକାର ଗଢ଼ିବ ।
- ବହୁ ପଛରେ AIUDF
ନିର୍ବାଚନରେ ୭୨୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ପ୍ରାୟ ୨.୪୯ କୋଟି ମତଦାତା । ଏଥର ନିର୍ବାଚନରେ ରାଜ୍ୟରେ ବିଜେପି, କଂଗ୍ରେସ ଓ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମାକ୍ରାଟିକ୍ ଫ୍ରଣ୍ଟ (AIUDF) ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି ବୋଲି କୁହାଯାଉଥିଲା, କିନ୍ତୁ AIUDF ବହୁ ପଛରେ ପଡ଼ିଛି।

