ସଂଚାର ବ୍ୟୁରୋ: ରାଜ୍ୟ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସୀ ଦ୍ୱାରା ଆୟୋଜିତ ପରୀକ୍ଷାରେ ଅନିୟମିତତାକୁ ନେଇ ବାରମ୍ବାର ବିବାଦ ଦେଖାଦେବା ପରେ ମୋହନ ମାଝୀ ସରକାର କଠୋର ଆଭିମୁଖ୍ୟ ଆପଣାଇଛନ୍ତି । ଏଣିକି ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ ସହ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନ ଦେବାକୁ ପଡ଼ିବ । ଏଥିପାଇଁ ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ୫ଟି, ସାଧାରଣ ପ୍ରଶାସନ ବିଭାଗର ଗୋଟିଏ ଓ ଜଳସମ୍ପଦ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଥିବାବେଳେ ବିଧାନସଭା ଅଧିବେଶନ ଆହୂତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରୀ ଚାକିରି ଚୟନ ପରୀକ୍ଷାରେ ପାରଦର୍ଶିତା ଆଣିବା ପାଇଁ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି), ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ, ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ଆୟୋଗ, ସର୍ଭିସ ସିଲେକ୍ସନ ବୋର୍ଡ, ଓଡ଼ିଶା ପୁଲିସ ସିଲେକ୍ସନ ବୋର୍ଡ, ଓଡ଼ିଶା ଶିକ୍ଷା(ରାଜ୍ୟ ପାଇଁ ସିଲେକ୍ସନ ବୋର୍ଡ) ରୁଲସ-୧୯୯୨, ଓଡ଼ିଶା ଜେଇଇ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କିମ୍ବା ଗଠିତ ଚୟନ କମିଟି/ଏଜେନ୍ସୀ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ଏଜେନ୍ସୀ ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଏହି ନୂଆ ଆଇନ ଅଣାଯାଇଛି । ଏହି ବିଲକୁ ଆସନ୍ତା ଶୀତ ଅଧିବେଶନରେ ବିଧାନସଭାରେ ପାରିତ କରିବାରକୁ ସରକାର ଲକ୍ଷ୍ୟ ରଖିଛନ୍ତି ।