ସଂଚାର ବ୍ୟୁରୋ: ଅଭିନବ ଉପାୟରେ ନାବାଳକଙ୍କୁ ଅପହରଣ ଉଦ୍ଯମ । ବେହୋସ କରି ଡାଲା ଅଟୋରେ ପକାଇ ନେଇଯାଉଥିଲେ ଦୁର୍ବୁତ୍ତ । ୫ ଘଣ୍ଟା ପରେ କୌଶଳକ୍ରମେ ଗାଡ଼ିରୁ ଡେଇଁ ଖସି ଆସିଲେ ନାବାଳକ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡାର କୁସମ୍ବି ଗାଁରେ । ଗାଁର ଯୁକ୍ତଦୁଇ ଛାତ୍ର ସମ୍ବିତ ସୂର୍ଯ୍ୟ ପ୍ରକାଶ ପଲେଇ ସକାଳେ ନିଜ ସାଇକେଲରେ ଟ୍ୟୁସନ ଯିବା ବାଟରେ ଜିଗ୍ନିପୁର ନିକଟ ଏକ ନିଚ୍ଛାଟିଆ ଜାଗାରେ ଏକ ନାଲି ରଙ୍ଗର ଡାଲା ତାଙ୍କୁ ପିଛା କରିଥିଲା । ପରେ ସେଥିରେ ଥିବା ଦୁଇଜଣ ଯୁବକ ଆସି ସମ୍ବିତଙ୍କୁ ଅଚେତ କରି ଡାଲା ଅଟୋରେ ପକାଇ ଦେଇଥିଲେ । ୫ ଘଣ୍ଟା ପରେ ଜଗତପୁର ନିକଟ ଖାଇରା ପୋଲ ନିକଟରେ ସମ୍ବିତର ଚେତା ଆସିବାରୁ କୌଶଳକ୍ରମେ ଡାଲାରୁ ଡେଇଁ ଘରକୁ ଆସିଥିଲେ । ଏନେଇ ଅଭିଯୋଗ ପରେ ସାଲେପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।.