ସଂଚାର ବ୍ୟୁରୋ: ସରପଞ୍ଚଙ୍କୁ ମାରି ଦେବାକୁ ଉଦ୍ୟମ । ଦଳୀୟ କନ୍ଦଳ ପାଇଁ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଦୃର୍ବୁତ୍ତ । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଆସିଛି ଏଭଳି ଖବର । ଅନ୍ତେଇ ପଞ୍ଚାୟତର ସରପଞ୍ଚ ସଞ୍ଜୟ ସେଠୀଙ୍କୁ ହୋଇଛି ଆକ୍ରମଣ । ରବିବାର ନିଜ ପଞ୍ଚାୟତ ଅଧିନରେ ଥିବା ବାଲିଘାଇ ଗ୍ରାମକୁ ଯାଉଥିବା ସମୟରେ କିଛି ଯୁବକ ଅନ୍ତେଇ ଟାୱାର ନିକଟରେ ଅଟକାଇ ଗାଳି ଗୁଲଜ କରିବା ସହିତ ଅତର୍କିତ ମାଡ଼ ମାରିଥିଲେ । ଯାହା ଫଳରେ ସଞ୍ଜୟ ଘଟଣା ସ୍ଥଳରେ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଦେଖିବା ପରେ ସ୍ଥାନୀୟ ପାଟକୁରା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ ସଞ୍ଜୟଙ୍କ ଶରୀର ଅଧିକ ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ ହେଲେ ସେଠାରୁ ମଧ୍ୟ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ସଞ୍ଜୟଙ୍କ ବାପା ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାପଡିଛି କି ବାତ୍ୟା ଦାନା ସମୟରେ ମହାକାଳପଡ଼ା ବିଧାୟକ ଙ୍କ ପାଖଲୋକ କହି କିଛି ଯୁବକ ବାତ୍ୟା ଆଶ୍ରୟସ୍ଥଳୀ ଯାଇ ସେଠାରେ ଖାଦ୍ୟ ସାମଗ୍ରୀ କୁ ଦେଖିବା ସହିତ ଭିଡିଓ ଉତ୍ତୋଳନ କରିଥିଲେ ଯାହାକୁ ନେଇ ସରପଞ୍ଚ ଏବଂ ଉକ୍ତ ଯୁବକଙ୍କ ସହ ତିକ୍ତତା ହୋଇଥିଲା । ଆଜି ସେହି ଯୁବକ ମାନେ ସଞ୍ଜୟଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା କହିଛନ୍ତି ତାଙ୍କ ସାନଭାଇ ।