ସଂଚାର ବ୍ୟୁରୋ: ପର୍ଯ୍ୟଟନ, କଳା, ଶିକ୍ଷା ଏବଂ ବାଣିଜ୍ୟର ବିକାଶ ଲାଗି କୁନା ଦାଶଙ୍କୁ ପୁରୀ ସିଟି ଆମ୍ବାସେଡର ରୂପେ ନିଯୁକ୍ତ କଲା ଜିଲ୍ଲା ପ୍ରଶାସନ । ପୁରୀରେ ଜନ୍ମ ଗ୍ରହଣ କରିଥିଲେ ମଧ୍ଯ ଜାପାନକୁ ଦୀର୍ଘ ୩୫ ବର୍ଷ ଧରି ନିଜର କର୍ମଭୂମି ରୂପେ ବାଛିନେଇଥିବା କୁନା ଦାଶଙ୍କୁ ଶନିବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶ୍ରୀକ୍ଷେତ୍ର ମିତ୍ର ଭାବେ ନିଯୁକ୍ତ ଦେଇଛନ୍ତି । ପର୍ଯ୍ଯଟନ ସହର ପୁରୀର ଐତିହ୍ଯ, କଳା, ସଂସ୍କୃତି, ଭାଷା ଓ ଶିକ୍ଷାର ବହୁଳ ମାତ୍ରାରେ ଜାପାନରେ ପ୍ରଚାର ପ୍ରସାର କରିବାରେ ତାଙ୍କର ଭୂମିକା ରହିଛି । ଆଗାମୀ ଦିନରେ ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟା କିପରି ବୃଦ୍ଧି ହେବ ସେ ନେଇ ସେ କାର୍ଯ୍ୟ କରିବେ । ଜାପାନରେ ଦୀର୍ଘବର୍ଷ ରହିବା ସହିତ ପୁରୀ ଓ ଓଡ଼ିଶାର କଳା ଓ ସଂସ୍କୃତି ଏବଂ ପର୍ଯ୍ୟଟନର ପ୍ରଚାର ପ୍ରସାର ଜାରି ରଖିଛନ୍ତି । ସେଥିପାଇଁ ତାଙ୍କୁ ଜାପାନ ସରକାରଙ୍କ ତରଫରୁ ଅନେକ ସମ୍ମାନ ମିଳିଛି । ସେହିଭଳି ପୁରୀରେ ଜାପାନ ଭାଷା, ଶିକ୍ଷା, କଳା ଓ ସଂସ୍କୃତିର ପ୍ରଚାର କରାଯାଉଛି । ମାଗଣାରେ ଜାପାନୀ ଭାଷା ସହିତ ଆଇଟି କ୍ଷେତ୍ରରେ ଶିକ୍ଷା ଦିଆଯାଉଛି। ଯୁବକମାନେ କୃତକାର୍ଯ୍ୟ ହେବା ପରେ ଜାପାନର ବଡ ବଡ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇଛନ୍ତି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ପୁରୀରେ ଜାପାନର ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ କିପରି ପୁରୀ ସହରକୁ ସୁସଜ୍ଜିତ କରାଯିବ, ସେନେଇ ଉଦ୍ୟମ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ସମୟରେ ପୌରପାଳିକା କାର୍ଯ୍ୟନିର୍ବାହି ଅଧିକାରୀ ଅଭିମନ୍ୟୁ ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏପରି ଏକ ସୁଯୋଗ ମିଳିଥିବାରୁ ଜିଲ୍ଲାପ୍ରଶାସନ ଓ ସହରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି କୁନା ଦାଶ ।