ସଂଚାର ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ଲାଗି ଆଜି କଂଗ୍ରେସ ଘୋଷଣା କରିଛି ନିର୍ବାଚନ ଇସ୍ତାହାର। ମହିଳା, ଚାଷୀ, ଶ୍ରମିକ, କୃଷକ ପ୍ରମୁଖଙ୍କ ଲାଗି ଅନେକ ଘୋଷଣା କରିଛି କଂଗ୍ରେସ। ପ୍ରତି ପରିବାରକୁ ୨୫ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ସୁବିଧା, ପ୍ରତି ମହିଳାଙ୍କୁ ମାସିକ ୨ ହଜାର ଲେଖାଏ ଟଙ୍କା ସହାୟତା, ଗୁଣବତ୍ତା ଶିକ୍ଷା, ଯୁବକଙ୍କ ଲାଗି ରୋଜଗାର ପ୍ରତିଶ୍ରୁତି ଦିଆଯାଇଛି। ସେହିପରି ବାସହୀନଙ୍କୁ ୧୦୦ ବର୍ଗ ଗଜ ଜାଗା, କିଷାନ ଆୟୋଗ ଗଠନ, ସଂଖ୍ଯାଲଘୁ ଆୟୋଗ ଗଠନ ଲାଗି ଇସ୍ତାହାରରେ ଘୋଷଣା କରାଯାଇଛି। ମାସକୁ ୩୦୦ ୟୁନିଟ ମାଗଣା ବିଜୁଳି, ୫ ଶହ ଟଙ୍କାରେ ଗ୍ଯାସ ସିଲିଣ୍ଡର, ଏମଏସପି ଲାଗି ଆଇନଗତ ଗ୍ଯାରେଣ୍ଟି, ରାଜ୍ଯରେ ଜାତିଭିତ୍ତିକ ଜନଗଣନା, ୨ ଲକ୍ଷ ଯୁବକଯୁବତୀଙ୍କୁ ଚାକିରି, ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ, ଡ୍ରଗ୍ସମୁକ୍ତ ରାଜ୍ଯ ଗଠନ ଆଦି ପ୍ରତିଶ୍ରୁତି ଦେଇଛି ଦଳ। ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡା ଓ ଅନ୍ଯ ବହୁ କଂଗ୍ରେସ ନେତା ଏହି ଇସ୍ତାହାରକୁ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ଯକ୍ରମରେ ଯୋଗଦେଇଥିଲେ ରାଜସ୍ଥାନର ପୂର୍ବତନ ମୁଖ୍ଯମନ୍ତ୍ରୀ ଅଶୋକ ଗେହଲଟ। ୯୦ ଆସନ ବିଶିଷ୍ଟ ବିଧାନସଭା ଲାଗି ଆସନ୍ତା ଅକ୍ଟୋବର ୫ରେ ହେବ ନିର୍ବାଚନ। ୮ରେ ହେବ ଗଣତି।