ସଂଚାର ବ୍ୟୁରୋ: ରାଜ୍ୟକୁ ଶିଳ୍ପ କ୍ଷେତ୍ରରେ ଅଧିକ ପୁଞ୍ଜି ଆସିବ । ରାଜ୍ୟ ହେଉ କି କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ରଖି ନୂଆ ଉଦ୍ୟୋଗୀଙ୍କୁ କିପରି ହ୍ୟାଣ୍ଡ ହୋଲ୍ଡିଂ କରାଯିବ । ଆଜି ଅନୁଷ୍ଠିତ ହୋଇଥିବା ଉତ୍କଳ ଚାମ୍ବର୍ସ ଅଫ୍ସ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏକାଠି ହୋଇ ସବୁ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଏହି ସଂକଳ୍ପ ନେଇଛନ୍ତି । ଏହାସହିତ ସଂଘର ନୂଆ ସଭାପତି, ଉପସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ସମେତ ୮ଟି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୧୮ ଜଣ ପ୍ରାର୍ଥୀ । ସକାଳ ସାଢ଼େ ଦଶଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଦସ୍ୟ ଥିବା ଶିଳ୍ପ ଜଗତର ବଡ଼ ବଡ଼ ବ୍ଯକ୍ତିତ୍ବମାନେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ସନ୍ଧ୍ୟା ସାଢ଼େ ୭ଟାରୁ ଭୋଟ ଗଣତି ହୋଇ ରାତି ୧୦ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ । ମୋଟ ୯୮୨ ଯୋଗ୍ୟ ମତଦାତାଙ୍କ ଭିତରୁ ସନ୍ଧ୍ଯା ୬ଟା ସୁଦ୍ଧା ୮ ଶହ ୬୦ରୁ ଉର୍ଦ୍ଧ୍ବ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ଜଣେ ବ୍ୟକ୍ତି ସଭାପତି ଭାବେ ଦୁଇ ଥରରୁ ଅଧିକ ଥର ପ୍ରତିଦ୍ବନ୍ଦ୍ବିତା କରିପାରିବେନି । ଏ ନେଇ ସଭାପତି ବ୍ରହ୍ମା ମିଶ୍ର ନିଜ କାର୍ଯ୍ୟକାଳ ଭିତରେ ୟୁସିସିଆଇ ସମ୍ବିଧାନରେ ସଂଶୋଧନ ଆଣିଥିଲେ । ଗତବର୍ଷ ଅଳ୍ବ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବିଜେପି ନେତା ତଥା ଶିକ୍ଷାବିତ ବିନୋଦ ଦାସ ଏଥରକ ସଭାପତି ଦୌଡ଼ରେ ଥିବାବେଳେ ବିଶିଷ୍ଟ ଖଣି ମାଲିକ ପ୍ରବୋଧ ମହାନ୍ତି ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେହିପରି ଉପସଭାପତି ଭାବେ ବିଶିଷ୍ଟ ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍ ଗିରିଧାରୀଲାଲ୍ ଶର୍ମା ସାଧାରଣ ବିଭାଗ ଉପସଭାପତି, ବାଣିଜ୍ୟ ବିଭାଗରେ ଉପସଭାପତି ମୁରଲି ଜାମୁଲା, କୋଷାଧ୍ୟକ୍ଷ ଭାବେ ନାରାୟଣ କୁମାର ଓ ସମ୍ପାଦକ ଭାବେ ଶିଳ୍ପପତି ସଞ୍ଜୀବ ମହାପାତ୍ର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ମୋଟ ୯ଟି ପଦବିରୁ ଶିଳ୍ବ ବିଭାଗର ଉପସଭାପତି ଭାବେ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଛି ଜୟକୃଷ୍ଣ ରଥ ।