ସଂଚାର ବ୍ୟୁରୋ: ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ । ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା । ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୁରିବା ଅବସରରେ ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ୨୪ ବର୍ଷର ସରକାର ପତନ ଘଟିଲା । ପୂର୍ବ ସରକାର ମହାପ୍ରଭୁଙ୍କୁ ମଧ୍ୟ ଭୋଟ ରାଜନୀତିରେ ବ୍ୟବହାର କଲେ । ହେଲେ ଆମ ସରକାରର ସଂକଳ୍ପ ପତ୍ର ହେଉଛି ଧର୍ମଗ୍ରନ୍ଥ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସଂକଳ୍ପ ପତ୍ରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିଛୁ, କରିବୁ ମଧ୍ୟ। ସରକାରର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କଲୁ। ପୂର୍ବ ସରକାର ଅଭିଯୋଗ ଶୁଣୁନଥିଲେ, ବରଂ ତାଙ୍କ ଇଚ୍ଛାରେ କାର୍ଯ୍ୟ କରୁଥିଲେ । ଭୁବନେଶ୍ବରରେ ଅଭିଯୋଗ ଶୁଣୁଛି, ହେଲେ ଆଗାମୀ ଦିନରେ ସବୁ ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ କରି ଶୁଣାଣି ହେବ ।