ସଂଚାର ବ୍ୟୁରୋ: କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ପ୍ରଥମ ଶହେ ଦିନରେ କଣ କଣ କରିଛନ୍ତି, ପ୍ରେସମିଟ୍ କରି ତାର ହିସାବ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କେନ୍ଦ୍ରର ଏନଡିଏ ସରକାରର ଶହେ ଦିନ ପୂରଣ ହୋଇଥିବା ବେଳେ ଆସନ୍ତକାଲି ରାଜ୍ୟ ସରକାରଙ୍କ ଶହେ ଦିନ ହେବ। ତା ପୂର୍ବରୁ ଆଜି ମନମୋହନ ସାମଲ କହିଛନ୍ତି, ସଂକଳ୍ପ ପତ୍ରରେ ଦେଇଥିବା ସବୁ ପ୍ରତିଶୃତି ପାଳନ ପାଇଁ ପଦକ୍ଷେପ ନିଆଯାଉଛି। ସଂକଳ୍ପ ପତ୍ରରେ କହିଥିଲୁ, ଲକ୍ଷପତି ଦିଦି କରିବୁ। ୧୧ ଲକ୍ଷ ଲକ୍ଷପତି ଦିଦି ହେଲେଣି। ୩ କୋଟି ପିଏମ ଆବାସ ଦେବାର ପ୍ରକ୍ରିୟା ଚାଲିଛି । ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଭିତ୍ତିଭୂମି ନିର୍ମାଣରେ ବିନିଯୋଗ ହୋଇଛି। ବନ୍ଦେ ଭାରତ ଟ୍ରେନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ରେଳ ସଂଯୋଗ କରାଯାଇଛି । ଯୁବକଙ୍କ ପାଇଁ ୨ ଲକ୍ଷ କୋଟିର ପ୍ୟାକେଜ ଦିଆଯାଇଛି। ଧାନର ଏମଏସପି 1310 ଟଙ୍କା ରୁ 2300 ଟଙ୍କାରେ ପହଞ୍ଚିଲାଣି। ଆୟୁଷ୍ମାନ କାର୍ଡରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା ଦିଆଯାଉଛି । 70 ବର୍ଷରୁ ଅଧିକ ବୟସର ଲୋକଙ୍କ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ସେହିପରି ଓଡ଼ିଶାରେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲା ଯାଇଛି। ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀମନ୍ଦିର ପାଇଁ ଦିଆଯାଇଛି ୨୦୦ କୋଟିର କର୍ଫସ ଫଣ୍ଡ। ଶ୍ରମିକଙ୍କ ମଜୁରି ବଢ଼ିଛି। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବାକୁ ନିଷ୍ପତ୍ତି ହୋଇଛି। 25 ଲକ୍ଷ ମହିଳାଙ୍କୁ 1250 କୋଟି ଟଙ୍କା ସୁଭଦ୍ରା ଯୋଜନାରେ ଦିଆଯାଇଛି। ଚିଟଫଣ୍ଡ କ୍ଷତଗ୍ରସ୍ତଙ୍କ ପାଇଁ କମିଟି ଗଠନ ହୋଇଛି । ତୁରନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନମୋହନ ସାମଲ।