ଆଜି ୪ଘଣ୍ଟା ବନ୍ଦ ରହିବ ଜଗାଦର୍ଶନ… ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ବୁଧବାର କାର୍ତ୍ତିକ, କୃଷ୍ଣ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।
ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ମଧ୍ୟରେ ଅନ୍ୟତମ ପ୍ରମୁଖ ନୀତି ହେଉଛି ବନକଲାଗି ନୀତି । ଏହି ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗରେ ସ୍ୱତନ୍ତ୍ର ଭାବେ ଶୃଙ୍ଗାର କରାଯାଏ । ଏହି ନୀତି ସମୟରେ ଶ୍ରୀଜିଉମାନଙ୍କ ଦିବ୍ୟ ରୂପ ଆହୁରି ଆକର୍ଷଣୀୟ ଓ ମନୋରମ ହୋଇଥାଏ ।
ବନକଲାଗି ନୀତି ପାଇଁ ପାରମ୍ପରିକ ଭାବେ ହିଙ୍ଗୁଳ, ହରିତାଳ, କଳା, ଧଳା ଓ ଅନ୍ୟାନ୍ୟ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଏ । ଦତ୍ତମହାପାତ୍ର ସେବକମାନେ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହିତ ଏହି ଶୃଙ୍ଗାର କାର୍ଯ୍ୟ ସମ୍ପାଦନ କରନ୍ତି । ଏହି ସମୟରେ ଶ୍ରୀଜିଉମାନଙ୍କ ଶ୍ରୀମୁଖରେ ରଙ୍ଗ ଲଗାଯାଇ ଆଖି, ମୁହଁ ଓ ଅନ୍ୟାନ୍ୟ ଅଙ୍ଗର ବିଶେଷ ଶୃଙ୍ଗାର କରାଯାଏ ।
ବନକଲାଗି ନୀତି ଚାଲିଥିବା ସମୟରେ ସାଧାରଣତଃ ଭକ୍ତମାନଙ୍କ ଦର୍ଶନ ବନ୍ଦ ରହିଥାଏ । ନୀତି ସମାପ୍ତ ହେବା ପରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୁଯୋଗ ମିଳିଥାଏ । ଏହି ପବିତ୍ର ନୀତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଶ୍ରଦ୍ଧା ଦେଖିବାକୁ ମିଳେ ।
ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା ଓ ସେବାପୂଜା ବ୍ୟବସ୍ଥାରେ ବନକଲାଗି ନୀତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ଏହି ଅନନ୍ୟ ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିର ଗଭୀର ଆଧ୍ୟାତ୍ମିକତା ଓ ପାରମ୍ପରିକ ଐତିହ୍ୟକୁ ପ୍ରତିଫଳିତ କରିଥାଏ ।
ସେପଟେ ପୁରୀ ହବିଷ୍ୟାଳୀଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ମଞ୍ଜୁର ହେଲା ୩ କୋଟି ୩୦ ଲକ୍ଷ ଟଙ୍କା । ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଏକତ୍ରିତ ହୋଇଛନ୍ତି ହଜାର ହଜାର ହବିଷ୍ୟାଳୀ ମା’ । ଏହି ଅବସରରେ ହବିଷ୍ୟାଳୀଙ୍କ ସୁବିଧା ଓ ସୁପରିଚାଳନା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ କୋଟି ୩୦ ଲକ୍ଷ ଟଙ୍କାର ଅର୍ଥରାଶି ଅନୁମୋଦନ କରାଯାଇଛି ।
ମାସସାରା ପୁରୀରେ ରହୁଥିବା ହବିଷ୍ୟାଳୀ ମା’ମାନଙ୍କ ସୁରକ୍ଷିତ ରହଣି, ମହାପ୍ରସାଦ ସେବନ ଏବଂ ଭଜନ-କୀର୍ତ୍ତନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦର୍ଶନାର୍ଥୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ହବିଷ୍ୟାଳୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗାଡ଼ି ବ୍ୟବସ୍ଥା, ସ୍ୱେଚ୍ଛାସେବୀ ମୁତୟନ, ପାନୀୟ ଜଳ, ବିଦ୍ୟୁତ ଓ ସ୍ୱାସ୍ଥ୍ୟସେବା କୁ ସୁନିଶ୍ଚିତ କରାଯାଇଛି, ଯେପରି ବ୍ରତ ପାଳନ ସମୟରେ କୌଣସି ଅସୁବିଧା ନ ହୁଏ । ସରକାରଙ୍କ ଏହି ବ୍ୟାପକ ବ୍ୟବସ୍ଥା ଯୋଗୁଁ ହବିଷ୍ୟାଳୀ ମା’ମାନେ ନିଷ୍ଠାର ସହ ନିଜର କାର୍ତ୍ତିକ ବ୍ରତ ସମ୍ପାଦନ କରୁଛନ୍ତି ।.



