ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବାକୁ ଆସନ୍ତା ୭ ତାରିଖରେ ଜିଲ୍ଲା ଗସ୍ତ କରିବେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଗସ୍ତରେ ସେ ଶେରଗଡ଼, ହିଞ୍ଜିଳି, ଆସିକା ଓ ସୋରଡ଼ା ଆଦି ଚାରିଟି ଅଞ୍ଚଳ ପରିଦର୍ଶନ କରିବେ। ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସେମାନଙ୍କ ଦୁର୍ଦ୍ଦଶା ଓ କ୍ଷୟକ୍ଷତି ସମ୍ପର୍କରେ ସେ ସିଧାସଳଖ ଅବଗତ ହେବେ।
ସାମ୍ପ୍ରତିକ ବାତ୍ୟା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ବିଶେଷକରି ଗ୍ରାମାଞ୍ଚଳରେ ଘରଦ୍ୱାର, ଚାଷଜମି ଓ ଜୀବିକା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଲୋକଙ୍କ ଦୈନନ୍ଦିନ ଜୀବନ ଏବେ ବି ସ୍ୱାଭାବିକ ହୋଇନାହିଁ। ଚାଷୀଙ୍କ ଫସଲ ନଷ୍ଟ ହେବା ସହ ଘର ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷତି ହୋଇଛି। ଏଭଳି ସ୍ଥିତିରେ ରିଲିଫ୍, ପୁନର୍ବାସ ଓ କ୍ଷତିପୂରଣ ବ୍ୟବସ୍ଥା କେତେଦୂର ପହଞ୍ଚିଛି, ତାହା ମଧ୍ୟ ନବୀନ ଅନୁଧ୍ୟାନ କରିବେ।
ବିପନ୍ନଙ୍କ ସମସ୍ୟା ଶୁଣିବା ସହ କ୍ଷତିଗ୍ରସ୍ତ ଅଞ୍ଚଳର ବାସ୍ତବ ସ୍ଥିତି ଦେଖିବେ ବୋଲି ସୂଚନା ମିଳିଛି। ନବୀନଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାର ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।



