ଭୟଙ୍କର ଭୂସ୍ଖଳନରେ ପୋତି ହୋଇ ଯାଇଥିବା ୧୨ଜଣଙ୍କୁ ଖୋଜିବ ହେଲିକପ୍ଟର । ଭଞ୍ଜନଗର ବାଇବାଲି ଲ୍ୟାଣ୍ଡସ୍ଲାଇଡ୍ ସ୍ଥଳକୁ ଯାଉଛି ଭାରତୀୟ ନୌସେନାର ଏକ ହେଲିକପ୍ଟର। ଭୂସ୍ଖଳନ ସ୍ଥାନରେ ଜୀବନ ଅଛି କି ନାହିଁ ସନ୍ଧାନ କରିବ। ସଂପୃକ୍ତ ଅଞ୍ଚଳର ସ୍କାନିଂ କରିବ ହେଲିକପ୍ଟର। ହେଲିକପ୍ଟରରେ ଅଛି ଲାଇଫ ଡିଟେକ୍ସନ ୟୁନିଟ ସିଗମିକ୍। ଏହା ମାଧ୍ୟମରେ ମାଟି ତଳେ ଲୋକଙ୍କ ଜୀବନ ଅଛି କି ନାହିଁ ତାହା ସ୍କାନ୍ କରିବ। ନିଖୋଜଙ୍କ ଉଦ୍ଧାର ପାଇଁ ରେଳବାଇର ମଧ୍ୟ ସହଯୋଗ ଲୋଡ଼ିଛନ୍ତି ରାଜ୍ୟ ସରକାର।
ରେଳ ବିଭାଗର ଅଧିକାରୀ ଏବଂ ଜ୍ଞାନ କୌଶଳ ଯୋଗାଇବାକୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଥା ହେଲେ ରାଜସ୍ୱ ମନ୍ତ୍ରୀ। ରେଳ ବିଭାଗର ଚେନ ପୁଲିଂ ଟେକନିକ ଲଗାଇବାକୁ ଆଲୋଚନା ହୋଇଛି। ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଜିଏମ ଏବଂ ଡିଆରଏମଙ୍କୁ ସହାୟତା କରିବାକୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ରେଳ ଅଧିକାରୀ ଘଟଣା ସ୍ଥଳକୁ ଯାଉଛନ୍ତି। ଭଞ୍ଜନଗର ବାଇବାଲି ପଞ୍ଚାୟତର ଗିଡ଼ିପାବାଲିରେ ଭୟଙ୍କର ଭୂସ୍ଖଳନ ହୋଇଛି। ପାହାଡ଼ ଧସିବାରୁ ମାଟି ତଳେ ପୋତି ହୋଇଯାଇଛି ଗାଁ। ୧୨ ଜଣ ନିଖୋଜ ହୋଇ ଯାଇଛନ୍ତି। ନିଖୋଜଙ୍କୁ ଖୋଜିବାକୁ ଏନଡିଆରଏଫ୍, ଏସଓଜି ଓ ଅଗ୍ନିଶମ ବାହିନୀର ଜୋରଦାର ସର୍ଚ୍ଚ ଅପରେସନ ଚଳାଇଛି।
ଅଘଟଣରେ ୧୩ ଜଣ ଗ୍ରାମବାସୀ ମାଟି ତଳେ ପୋତି ହୋଇ ଯାଇଥିଲେ। ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି ଦୁର୍ଗମ ପାହାଡ଼ିଆ ଗାଁରେ ମୋଟ ୨୬ ଜଣ ବସବାସ କରୁଥିଲେ। ଭୂସ୍ଖଳନ ପୂର୍ବରୁ ୧୩ ଜଣ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ବୁଧବାର-ଗୁରୁବାର ରାତି ପ୍ରାୟ ୩ଟା ସମୟରେ ଲୋକେ ଶୋଇଥିବା ବେଳେ ହଠାତ୍ ନିକଟସ୍ଥ ପାହାଡ଼ ଧସିଥିଲା। ପଥର, କାଦୁଅ ଓ ମାଟିର ପ୍ରଚଣ୍ଡ ସ୍ରୋତରେ ଘରଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପୋତି ହୋଇ ଯାଇଥିଲା। ଲୋକେ ବାହାରକୁ ବାହାରି ପାରି ନଥିଲେ।
୯ଟି ଘର ମାଟି ତଳେ ପୋତି ହୋଇଯାଇଛି। ଘଟଣାସ୍ଥଳ ଅତ୍ୟନ୍ତ ଦୁର୍ଗମ ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବାଧା ଉପୁଜିଥିଲା। ଏନଡିଆରଏଫ୍ , ଓଡ୍ରାଫ୍ , ଏସଓଜି ଏବଂ ଅଗ୍ନିଶମ ବାହିନୀର ପ୍ରାୟ ୧୬୦ ରୁ ୧୭୦ ଜଣ ତାଲିମପ୍ରାପ୍ତ ଯବାନ କାମରେ ଲାଗିଛନ୍ତି। ମାଟି ଏବଂ ବଡ଼ ପଥର ଖଣ୍ଡକୁ ହଟାଇବା ପାଇଁ ସ୍ୱତନ୍ତ୍ର କଟର, ଭାରୀ ଯନ୍ତ୍ରାଂଶ ଏବଂ ଜୀବନ ସନ୍ଧାନକାରୀ ଉପକରଣ ବ୍ୟବହାର କରାଯାଉଛି।
ଗଞ୍ଜାମରେ ଭୟଙ୍କର ଭୂସ୍ଖଳନ, ପ୍ରାୟ ୧୩ ନିଖୋଜଙ୍କୁ ଖୋଜିବାକୁ ବଡ଼ ଅପରେସନ୍ । ଗଞ୍ଜାମରେ ବାତ୍ୟା ପରବର୍ତ୍ତୀ ବର୍ଷା ଓ ବନ୍ୟାର ଦୁର୍ଦ୍ଦଶା ନସରୁଣୁ ଏବେ ଭୂସ୍ଖଳନ ବଢ଼ାଇଛି ଚିନ୍ତା । ଭଞ୍ଜନଗର ଅଞ୍ଚଳରୁ ଆସିଛି ଚିନ୍ତାଜନକ ଖବର। ବାଇପାଲି ପଞ୍ଚାୟତରେ ଭୂସ୍ଖଳନ ପରେ ୧୩ ଜଣଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି । ନିଖୋଜଙ୍କୁ ଠାବ କରିବା ପାଇଁ ଗତକାଲିଠାରୁ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଉଦ୍ଧାର ଓ ସନ୍ଧାନ କାର୍ଯ୍ୟରେ ୧୬୦ରୁ ୧୭୦ ଜଣ ନିୟୋଜିତ ଥିବା ସୂଚନା ମିଳିଛି ।
ଭୂସ୍ଖଳନ ପରେ ପ୍ରଭାବିତ ଅଞ୍ଚଳରେ ନିଖୋଜଙ୍କ ସନ୍ଧାନ ଚାଲିଛି । ମାଟି ଓ ପଥର ତଳେ କେହି ଫସି ରହିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ଚାଲିଛି ଖୋଜାଖୋଜି । ତେବେ ସମସ୍ତ ନିଖୋଜ ଏବଂ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନାକୁ ଅପେକ୍ଷା କରାଯାଇଛି । ଏପଟେ ବିଭିନ୍ନ ସ୍ଥାନରେ ଘଟିଥିବା ଭୂସ୍ଖଳନରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ।
ସର୍ଚ୍ଚ ଅପରେସନ୍ରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସାମିଲ ହୋଇଛନ୍ତି । ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ମିଳିତ ଭାବେ ନିଖୋଜଙ୍କ ସନ୍ଧାନ ଚଳାଇଛନ୍ତି । ଲଗାଣ ବର୍ଷା, କାଦୁଅ ଓ ପାହାଡ଼ିଆ ଅଞ୍ଚଳର ଦୁର୍ଗମ ପରିସ୍ଥିତି ଉଦ୍ଧାର କାର୍ଯ୍ୟକୁ ଜଟିଳ କରିଛି । ଏବେ ସବୁଠାରୁ ବଡ଼ ପ୍ରଶ୍ନ, ନିଖୋଜମାନେ କେଉଁଠି ? ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସମ୍ଭବ ହେବ କି? ଉଦ୍ଧାରକାରୀ ଦଳର ତଲାସି ଅଭିଯାନ ଉପରେ ଏବେ ସମସ୍ତଙ୍କ ନଜର ।

