ଶୀତ ଆରମ୍ଭରୁ କୁହୁଡ଼ିର ରାଜୁତି… ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ ଘୋଡ଼ାଇ ରଖିଛି ଘନ କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ଦୁଇ ସହରରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଫଳରେ ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗାଡ଼ି ଚଳାଚଳ ଉପରେ ପଡ଼ିଛି ଏହାର ପ୍ରଭାବ । ମାତ୍ର ୧୫୦ ମିଟର ଦୂରତା ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ଭାବେ ଦେଖିବା କଷ୍ଟକର ହୋଇପଡ଼ିଛି।
ଚଳିତ ଋତୁର ପ୍ରଥମ ଘନ କୁହୁଡ଼ି ଭାବେ ଏହାକୁ ଦେଖାଯାଉଛି । ସକାଳ ସମୟରେ କୁହୁଡ଼ିର ଘନତା ଅଧିକ ରହିଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକଙ୍କୁ ଯାତାୟାତ ସମୟରେ ଅଧିକ ସତର୍କ ରହିବାକୁ ପଡ଼ିଛି । ରାସ୍ତାରେ ଯାନବାହନର ଗତି ମଧ୍ୟ ଧୀର ହୋଇଯାଇଛି ।
ଅନ୍ୟପଟେ ରାତିର ତାପମାତ୍ରା ହ୍ରାସ ପାଇବା ପରେ ଟ୍ୱିନ୍ ସିଟିରେ ସାମାନ୍ୟ ଶୀତ ଅନୁଭୂତ ହେଉଛି । ସକାଳୁ ଥଣ୍ଡା ପବନ ସାଙ୍ଗକୁ ଘନ କୁହୁଡ଼ି ଲୋକଙ୍କୁ ଶୀତର ଆଗମନର ଆଭାସ ଦେଇଛି ।
ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣାର ଆଶଙ୍କା ରହୁଥିବାରୁ ଯାନବାହନ ଚାଳକମାନେ ଧୀର ଗତିରେ ଗାଡ଼ି ଚଳାଇବା, ଆବଶ୍ୟକ ସମୟରେ ଲାଇଟ୍ ବ୍ୟବହାର କରିବା ଏବଂ ନିରାପଦ ଦୂରତା ବଜାୟ ରଖିବା ଜରୁରୀ । ଆଗାମୀ ଦିନରେ କୁହୁଡ଼ିର ପ୍ରଭାବ କିପରି ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।
