ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ, ସୁରକ୍ଷିତ ଓ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ପୁରୀ ଶ୍ରୀମନ୍ଦିରରେ ନିର୍ମାଣାଧୀନ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍ କର୍ପୋରେସନ୍ (OBCC) ପକ୍ଷରୁ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବାକୁ ମନ୍ତ୍ରୀ କାର୍ଯ୍ୟସ୍ଥଳ ପରିଦର୍ଶନ କରିଥିଲେ। ଏହି ସମୟରେ ଭିତ୍ତିଭୂମି ବିକାଶ ଓ ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ଏହାର ଗୁଣବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟରେ ଶୃଙ୍ଖଳା ଓ ଉଚ୍ଚ ମାନର ନିର୍ମାଣକୁ ପ୍ରାଥମିକତା ଦେବାକୁ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଛନ୍ତି। ତେଣୁ ଭକ୍ତଙ୍କ ଭିଡ଼ ପରିଚାଳନା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥାର ବିକାଶ କରାଯାଉଛି। ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ଭକ୍ତମାନେ ଅଧିକ ସୁବିଧାରେ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି।

