ପ୍ରେମ, ବିବାହ ଆଉ ପ୍ରତାରଣା! ଜଣଙ୍କ ପରେ ଜଣଙ୍କୁ ବିବାହ କରିବା ସହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ। ଏପରିକି ଏକାଧିକ ମହିଳାଙ୍କୁ ଗର୍ଭବତୀ କରି ଛାଡ଼ି ଚାଲିଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ଶେଷରେ ଜଣେ ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ଜାଲରେ ପଡ଼ିଛି ଅଭିଯୁକ୍ତ କୈଳାସ ଚନ୍ଦ୍ର ବେହେରା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋଠସାହି ଅଞ୍ଚଳର କୈଳାସଙ୍କ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ ଆସିଛି। ମହିଳା ଥାନା ପୋଲିସ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରିଛି।
ପ୍ରାୟ ୩୫ ବର୍ଷ ତଳେ କୈଳାସ ପ୍ରଥମେ ବିବାହ କରିଥିଲେ। ଏହାପରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଜଣଙ୍କ ପରେ ଜଣଙ୍କୁ ବିବାହ କରୁଥିବା ଅଭିଯୋଗ ହୋଇଛି। ବିବାହ ଓ ସମ୍ପର୍କର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ସେ ସେମାନଙ୍କୁ ଛାଡ଼ି ଚାଲିଯାଉଥିବା କୁହାଯାଉଛି।
ଏକାଧିକ ମହିଳାଙ୍କୁ ଗର୍ଭବତୀ କରିବା ଅଭିଯୋଗ
ଏକାଧିକ ମହିଳାଙ୍କୁ ଗର୍ଭବତୀ କରିବା ପରେ ମଧ୍ୟ ସେ ସେମାନଙ୍କଠାରୁ ଦୂରେଇ ଯାଇଥିବା ଅଭିଯୋଗ ରହିଛି। ଏହି ଘଟଣାକୁ ନେଇ ଶେଷରେ ଥାନାରେ ପହଞ୍ଚିଥିଲା ଅଭିଯୋଗ। ଜଣେ ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ମହିଳା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଅଭିଯୁକ୍ତ କୈଳାସ ଚନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଛି।
ପାଞ୍ଚ ଜଣ ମହିଳାଙ୍କୁ ବିବାହ କରିଥିବା ନେଇ ଅଭିଯୋଗ ଆସିଥିବା ବେଳେ ଏହି ଘଟଣାରେ ଆହୁରି କେତେଜଣ ମହିଳା ପୀଡ଼ିତା ଅଛନ୍ତି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପୋଲିସର ତଦନ୍ତ ଆଗକୁ ବଢ଼ିବା ସହ ଏହି ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବାର ଆଶା କରାଯାଉଛି।

