ଲୋକପ୍ରିୟ ଟେଲିଭିଜନ କ୍ରାଇମ୍ ସିରିଜ୍ ‘CID’ର ନିର୍ମାତା ବୃଜେନ୍ଦ୍ର ପାଲ ସିଂହଙ୍କ ପରଲୋକ ହୋଇଛି । ସେ ବିପି ସିଂହ ନାମରେ ବେଶ୍ ପରିଚିତ ଥିଲେ । ଅକ୍ଟୋବର ୨୭ ତାରିଖ ସକାଳେ ହୃଦ୍ଘାତ ଯୋଗୁଁ ତାଙ୍କର ନିଧନ ହୋଇଥିବା ଜଣାପଡିଛି । ଲୋକପ୍ରିୟ ହରର୍ ସିରିଜ୍ ଆହଟ୍ ର ନିର୍ମାଣ ମଧ୍ୟ ସେ କରିଥିଲେ । ତାଙ୍କ ନିଧନରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।
ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ବିପି ସିଂହଙ୍କ ମୃତ୍ୟୁ ଖବର ସେୟାର କରିଛନ୍ତି । ବିପି ସିଂହଙ୍କ ଶେଷକୃତ୍ୟ ଅକ୍ଟୋବର ୨୮ ତାରିଖରେ କରାଯିବ । CID ଓ ଆହଟ୍ ଭଳି ଲୋକପ୍ରିୟ ଧାରାବାହିକ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।
ଅଶୋକ ପଣ୍ଡିତ ଇନଷ୍ଟାଗ୍ରାମ ସେୟାର କରିଛନ୍ତି, ବିପି ସିଂହଙ୍କୁ ଜଣେ ପ୍ରତିଭାବାନ ନିର୍ମାତା-ନିର୍ଦ୍ଦେଶକ । ତାଙ୍କ ଧାରାବାହିକ ସାରା ଦେଶର ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡାଇରେକ୍ଟର୍ସ ଆସୋସିଏସନ୍ (IFTDA)ର ଅଧ୍ୟକ୍ଷ ଭାବେ ବିପି ସିଂହ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ସହ ଘନିଷ୍ଠ ଭାବେ କାମ କରିବାର ସୁଯୋଗ ମିଳିଥିବା କଥା ମଧ୍ୟ ଅଶୋକ ପଣ୍ଡିତ ମନେ ପକାଇଛନ୍ତି ।
ଦେହରାଦୁନରେ ଜନ୍ମଗ୍ରହଣ କରିଥିବା ବୃଜେନ୍ଦ୍ର ପାଲ ସିଂହ ଭାରତର ଦୀର୍ଘକାଳ ଧରି ପ୍ରସାରିତ ହୋଇଥିବା ଟେଲିଭିଜନ ଧାରାବାହିକ ମଧ୍ୟରୁ ଅନ୍ୟତମ ‘CID’ର ନିର୍ମାଣ, ନିର୍ଦ୍ଦେଶନା ଓ ପ୍ରଯୋଜନା କରିଥିଲେ । ୧୯୯୮ ମସିହାରେ ଆରମ୍ଭ ହୋଇଥିବା ଏହି କ୍ରାଇମ୍ ଡ୍ରାମାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ଅଧିକାରୀମାନେ ଜଟିଳ ମାମଲାର ତଦନ୍ତ କରୁଥିବା ଦେଖାଯାଉଥିଲା । CID ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ୨୦୧୦ ମସିହାରେ ‘CID ଗ୍ୟାଲେଣ୍ଟ୍ରି ଆୱାର୍ଡ୍ସ’ ଆରମ୍ଭ କରାଯାଇଥିଲା ।

