ପ୍ରସିଦ୍ଧ ଗଣପର୍ବ ମା’ ଗଜଲକ୍ଷ୍ମୀ ପୂଜା ପାଇଁ ଏବେ ଚଳଚଞ୍ଚଳ ସାରା ସହର । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ୧୧ ଦିନିଆ ଏହି ବିଶାଳ ପୂଜା ମହୋତ୍ସବ । ଏଥର ସହରର ୪୧ଟି ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀ ପୂଜା ପାଇବେ । ଭବ୍ୟ ତୋରଣ, ରଙ୍ଗବେରଙ୍ଗ ଆଲୋକସଜ୍ଜା ଏବଂ ମୃଣ୍ମୟୀ ପ୍ରତିମାରେ ସଜେଇ ହେଉଛି ପୂଜା ମଣ୍ଡପ । ସେପଟେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
- ମା’ଙ୍କ ଦର୍ଶନ ପାଇଁ ଅପେକ୍ଷା
ମାଆଙ୍କ ଆଗମନକୁ ସାରା ଢେଙ୍କାନାଳବାସୀଙ୍କ ଆକୁଳ ଅପେକ୍ଷା । ଦିନ ଯେତିକି ପାଖେଇ ଆସୁଛି, ସହରରେ ସେତିକି ଜୋରଦାର ହେଉଛି ପ୍ରସ୍ତୁତି। ଢେଙ୍କାନାଳ ସହରର ପ୍ରତ୍ୟେକ ପ୍ରମୁଖ ଛକ ଓ ଗଳିକନ୍ଦିରେ ନିର୍ମାଣ ଚାଲିଛି ଗୋଟିଏ ରୁ ଆଉ ଗୋଟିଏ ବଳି ଦୃଶ୍ୟମାନ ଓ ଭବ୍ୟ ପୂଜା ମଣ୍ଡପ। କେଉଁଠି ମୂର୍ତ୍ତିକାରମାନେ ମୃଣ୍ମୟୀ ପ୍ରତିମାକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ, ତ ଆଉ କେଉଁଠି ଚାଲିଛି ରଙ୍ଗବେରଙ୍ଗ ଆଲୋକସଜ୍ଜା ଓ ମଣ୍ଡପ ସାଜସଜ୍ଜାର କାମ। ସାରା ସହରରେ ଏବେ କେବଳ ଉତ୍ସାହ ଓ ଉଦ୍ଦୀପନାର ପରିବେଶ।
- ୧୧ଦିନ ଯାଏଁ କମ୍ପିବ ଢେଙ୍କାନାଳ
ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଆସନ୍ତା ନଭେମ୍ବର ୪ ତାରିଖରେ ମାଆଙ୍କ ସୁସଜ୍ଜିତ ଭସାଣି ଶୋଭାଯାତ୍ରା ସହ ଶେଷ ହେବ ଏହି ୧୧ ଦିନିଆ ମହୋତ୍ସବ । ଚଳିତ ବର୍ଷ ସହରର ବିଭିନ୍ନ ପୂଜା ମଣ୍ଡପରେ ୪୧ଟି ମୂର୍ତ୍ତି ପୂଜା ପାଇବେ। ଗତବର୍ଷ ତୁଳନାରେ ଏଥର ଆଉ ୨ଟି ମେଢ଼ ବୃଦ୍ଧି ପାଇଥିବାରୁ ପୂଜାର ଆକର୍ଷଣ ଏବଂ ପରିସର ଆହୁରି ବଢ଼ିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଶ୍ରଦ୍ଧାଳୁ।
- ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାକୁ ୮୫ବର୍ଷ
ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ଆଉ ଏକ ଦୃଷ୍ଟିରୁ ସ୍ୱତନ୍ତ୍ର । କାରଣ ଏହି ସଂସ୍କୃତି ଓ ପରମ୍ପରା ପର୍ବ ଚଳିତ ବର୍ଷ ତା’ର ୮୫ ବର୍ଷ ପୂର୍ତ୍ତି ପାଳନ କରୁଛି । ଦୀର୍ଘ ବର୍ଷର ପରମ୍ପରା, ଭକ୍ତି ଓ ସାଂସ୍କୃତିକ ଐତିହ୍ୟକୁ ନେଇ ଢେଙ୍କାନାଳର ଏହି ପୂଜାର ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ମାଆଙ୍କ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ସଜବାଜ ଚାଲିଥିବା ବେଳେ, ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି ।

