ଚତୁର୍ଥ ଟି-୨୦ରେ ଭାରତକୁ ୨୪ ରନରେ ହରାଇଛି ୱେଷ୍ଟଇଣ୍ଡିଜ । ଏହି ବିଜୟ ସହ ସିରିଜ୍ ୨-୨ରେ ସମାନ ହୋଇଛି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୩ ୱିକେଟ ହରାଇ ୨୪୭ ରନ କରିଥିଲା । ଏହାର ଜବାବରେ ଭାରତ ୧୯.୪ ଓଭରରେ ୨୨୩ ରନ୍ କରିବାର ସକ୍ଷମ ହୋଇଥିଲା । ୱେଷ୍ଟଇଣ୍ଡିଜ୍ ପାଇଁ ଅଧିନାୟକ ସାଇ ହୋପ୍ ଶତକ ହାସଲ କରିଥିଲେ । ଭାରତ ପାଇଁ ସଞ୍ଜୁ ସାମସନ ସର୍ବାଧିକ ୫୬ ରନ କରିଥିଲେ । ୱେଷ୍ଟଇଣ୍ଡିଜ୍ ପାଇଁ କିମୋ ପଲ୍ ୫ ୱିକେଟ ନେଇଥିଲେ ।
୨୪୮ ରନର ବିଶାଳ ଟାର୍ଗେଟ୍ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଟିମ ଭଲ ଆରମ୍ଭ କରିଥିଲା । ୪.୧ ଓଭରରେ ୬୦ ରନରେ ଭାରତ ପ୍ରଥମ ୱିକେଟ ହରାଇଥିଲା । ସଞ୍ଜୁ ୨୩ ବଲରେ ୫୬ ରନ୍ କରି ଆଉଟ ହୋଇଥିଲେ । ଇଶାନ କିଷନ କେବଳ ୬ ରନ୍ କରିପାରିଥିଲେ । ପଞ୍ଚମ ଓଭରରେ କିମୋ ପଲ୍ ଉଭୟ ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ଅଭିଷେକ ଶର୍ମା ୨୪ ବଲରେ ୨୯ ରନ୍ କରି ଆଉଟ୍ ହୋଇଥିଲେ । ନମନ ଧୀର ବିନା କୌଣସି ସ୍କୋରରେ ଆଉଟ୍ ହୋଇଥିଲେ । ତିଲକ ବର୍ମା ୨୫ ବଲରେ ୪୩ ରନ୍ କରିଥିଲେ । ନୀତୀଶ କୁମାର ରେଡ୍ଡି ୨୦ ବଲରେ ୪୧ ରନ୍ କରିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ପଞ୍ଚମ ଓଭରରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଆଣ୍ଡ୍ରୁ ୧୬ ବଲରେ ୨୧ ରନ ସଂଗ୍ରହ କରି ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ ହୋଇଥିଲେ । ପ୍ରିନ୍ସ ଯାଦବ ନବମ ଓଭରରେ ଶିମରୋନ୍ ହେଟମାୟରଙ୍କୁ ଆଉଟ୍ କରିଥିଲେ । ହୋପ୍ ଏବଂ ହେଟମାୟର ଦ୍ୱିତୀୟ ୱିକେଟ୍ ପାଇଁ ୫୮ ରନର ପାର୍ଟନରସିପ୍ କରିଥିଲେ । ରୋଭମାନ ପାୱେଲ୍ ୧୭ ବଲରେ ୨୪ ରନ ଅର୍ଶଦୀପ ସିଂହଙ୍କ ବୋଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଅଧିନାୟକ ହୋପ୍ ସର୍ବାଧିକ ୫୦ ବଲରେ ୧୦୨ ରନ୍ କରିଥିଲେ । ଭାରତ ପାଇଁ ଅକ୍ଷର ପଟେଲ, ଅର୍ଶଦୀପ ଏବଂ ପ୍ରିନ୍ସ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।
