ବିମାନ ଯାତ୍ରୀଙ୍କ ପାଇଁ ସାମ୍ନାକୁ ଆସିଲା ବଡ଼ ଖବର । ଦୀପାବଳି ଏବଂ ଛଟ ପୂଜା ପୂର୍ବରୁ ବିମାନଯାତ୍ରୀଙ୍କୁ ବଡ଼ ଝଟକା ଲାଗିଛି । ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ ଇଣ୍ଡିଗୋ ଫ୍ୟୁଏଲ ସରଚାର୍ଜ ବୃଦ୍ଧି ଘୋଷଣା କରିଛି । ଜେଟ୍ ଇନ୍ଧନର ବୃଦ୍ଧିକୁ ଦୃଷ୍ଟିରେ ରଖି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ପାଇଁ ଏହି ପଦକ୍ଷେପ ନିଆଯାଇଛି । ନୂଆ ଫ୍ୟୁଏଲ ସରଚାର୍ଜ ୬ ଅକ୍ଟୋବର ୨୦୨୬ରୁ ଲାଗୁ ହେବ । ଫଳରେ ଯାତ୍ରୀଙ୍କୁ ବିମାନ ଟିକେଟ୍ ପାଇଁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ ।
ଇଣ୍ଡିଗୋ ଘରୋଇ ଇଡ଼ାଣର ଫ୍ୟୁଏଲ ସରଚାର୍ଜରେ ୧୦୦ ଟଙ୍କାରୁ ୩୫୦ ଟଙ୍କାକୁ ବୃଦ୍ଧି କରିଛି । ଯାତ୍ରାର ଦୂରତା ଅନୁସାରେ ଏହି ଚାର୍ଜ ଭିନ୍ନ ରହିବ । ଅର୍ଥାତ୍ ଅଳ୍ପ ଦୂରତାର ବିମାନ ଯାତ୍ରା ଓ ଅଧିକ ଦୂରତାର ବିମାନ ଯାତ୍ରା ପାଇଁ ଅଲଗା ଫ୍ୟୁଏଲ ସରଚାର୍ଜ ଦେବାକୁ ପଡ଼ିବ । ନୂଆ ଦର ୬ ଅକ୍ଟୋବରରୁ ଲାଗୁ ହେବାକୁ ଥିବାରୁ ପର୍ବପର୍ବାଣୀ ସମୟରେ ଯାତ୍ରା କରିବାକୁ ଥିବା ଲୋକଙ୍କ ବଜେଟ୍ ଉପରେ ଏହାର ପ୍ରଭାବ ପଡ଼ିପାରେ । କେବଳ ଏତିକି ନୁହେଁ ବରଂ ଇଣ୍ଡିଗୋ ଘରୋଇ ବିମାନ ସହିତ ଅନ୍ତରାଷ୍ଟ୍ରୀୟ ଉଡ଼ାଣ ପାଇଁ ମଧ୍ୟ ଫ୍ୟୁଏଲ ସରଚାର୍ଜରେ ପରିବର୍ତ୍ତନ ଆଣିଛି । କିନ୍ତୁ ବିଦେଶ ଯାତ୍ରା ପାଇଁ କେତେ ସରଚାର୍ଜ ପଡ଼ିବ, ତାହା ରୁଟ୍ ଓ ଯାତ୍ରା ଦୂରତା ଉପରେ ନିର୍ଭର କରିବ । ତେଣୁ ବିଦେଶ ଯାତ୍ରା ପାଇଁ ଟିକେଟ୍ ବୁକିଂ କରୁଥିବା ଯାତ୍ରୀମାନେ ଏହି ବଢ଼ିଥିବା ଖର୍ଚ୍ଚକୁ ଧ୍ୟାନରେ ରଖିବାକୁ ପଡ଼ିବ ।
ଇଣ୍ଡିଗୋ କମ୍ପାନୀ ଅନୁସାରେ, ଜେଟ୍ ଫ୍ୟୁଏଲର ମୂଲ୍ୟ ଲଗାତାର ବୃଦ୍ଧି ପାଉଛି । ଇନ୍ଧନର ମୂଲ୍ୟ ମାସିକ ଭିତ୍ତିରେ ୧୪%ରୁ ଅଧିକ ବଢିଛି । ଏହି କାରଣରୁ ATFର ମୂଲ୍ୟ ପ୍ରାୟ ଏକ ଦଶକ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏୟାରଲାଇନ୍ସଗୁଡ଼ିକର ମୋଟ ପରିଚାଳନା ଖର୍ଚ୍ଚରେ ବିମାନ ଇନ୍ଧନର ବଡ଼ ଭାଗ ରହିଥାଏ । ତେଣୁ ଇନ୍ଧନ ଦର ବଢ଼ିଲେ ବିମାନ ଚଳାଚଳ ଖର୍ଚ୍ଚ ମଧ୍ୟ ବଢ଼ିଯାଏ। ଏହି ବଢ଼ୁଥିବା ଖର୍ଚ୍ଚର ଭାରକୁ ସମ୍ଭାଳିବା ପାଇଁ ଇଣ୍ଡିଗୋ ଫ୍ୟୁଏଲ ସରଚାର୍ଜ ବଢ଼ାଇଥିବା କୁହାଯାଇଛି ।

