ଦିଲ୍ଲୀ-ଏନସିଆରରେ ସମ୍ପ୍ରତି ଘଟିଥିବା ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଏହି ମାମଲାରେ ନିଜ ଆଡୁ ବିଚାର ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଘଟଣା ଘଟିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଅପରାଧକୁ ଆଗୁଆ ରୋକିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୋର୍ଟ ମୌଖିକ ଭାବେ କହିଛନ୍ତି।
ବିଚାରପତି ଜେ.ବି. ପାର୍ଦିୱାଲା ଏବଂ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ନିବାରଣ ବ୍ୟବସ୍ଥା ଏବଂ ସମ୍ବେଦନଶୀଳ ସର୍ବସାଧାରଣ ସ୍ଥାନଗୁଡ଼ିକର ନିରନ୍ତର ତଦାରଖ ଉପରେ ଜୋର ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କେବଳ କାଗଜପତ୍ରରେ ନିୟମ କରିଦେଲେ ହେବ ନାହିଁ, ଅପରାଧ ରୋକିବା ପାଇଁ କର୍ତ୍ତୃପକ୍ଷଙ୍କୁ କଠୋର ପଦକ୍ଷେପ ନେବାକୁ ପଡ଼ିବ। ଖଣ୍ଡପୀଠ କହିଛନ୍ତି, ‘ଆମକୁ ଏକାଠି କାମ କରିବାକୁ ପଡ଼ିବ। ରାତି ୧୧ଟାରେ ମଧ୍ୟ ଜଣେ ମହିଳା ରାସ୍ତାରେ କିମ୍ବା ମେଟ୍ରୋରେ ଯାତ୍ରା କରୁଥିବା ବେଳେ ନିଜକୁ ସୁରକ୍ଷିତ ମନେ କରିବା ଆବଶ୍ୟକ।’ ଏହା ସହିତ ପୋଲିସ ଗୁଣ୍ଡା ଏବଂ ଅସାମାଜିକ ତତ୍ତ୍ୱଙ୍କ ମନରେ ଭୟ ସୃଷ୍ଟି କରିବା ଦରକାର ବୋଲି କୋର୍ଟ କହିଛନ୍ତି।
ନିରନ୍ତର ତଦାରଖ ଅଭାବରୁ ସିସିଟିଭି ସର୍ଭିଲାନ୍ସର ଉପଯୋଗିତାକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଛନ୍ତି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ନିରନ୍ତର ମନିଟରିଂ ପାଇଁ କୌଣସି ବ୍ୟବସ୍ଥା ଅଛି କି ନାହିଁ ବୋଲି କୋର୍ଟ ପଚାରିଛନ୍ତି। ଘଟଣାଗୁଡ଼ିକର ତଦାରଖ ଏବଂ ତୁରନ୍ତ ପଦକ୍ଷେପ ନେବା ପାଇଁ ଏକ ସ୍ୱତନ୍ତ୍ର ‘ୱାର୍ ରୁମ୍’ ର ଅଭାବ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ଯଦି ଜଣେ ବ୍ୟକ୍ତି ଅପରାଧ କରିବାକୁ ପ୍ରସ୍ତୁତ, ତେବେ ତା’ ମନରେ ପୋଲିସକୁ ନେଇ ଭୟ ରହିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଅପରାଧ କଲେ କଠୋର ଦଣ୍ଡ ମିଳିବାର ଭୟ ସୃଷ୍ଟି କରିବା ଜରୁରୀ ଅଟେ।
ଦିଲ୍ଲୀ-ଏନସିଆରରେ କ୍ରମାଗତ ଭାବେ ଘଟୁଥିବା ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଘଟଣାକୁ ସୁପ୍ରିମକୋର୍ଟ ନିଜ ଆଡୁ ବିଚାରକୁ ନେଇଥିଲେ। ଗତ ସେପ୍ଟେମ୍ବର ୨୮ ତାରିଖରେ ପାର୍କ, ରାସ୍ତା, ବସ୍, ମେଟ୍ରୋ ଷ୍ଟେସନ୍ ଆଦି ସର୍ବସାଧାରଣ ସ୍ଥାନର ସୁରକ୍ଷାକୁ ନେଇ କୋର୍ଟ ଉଦବେଗ ପ୍ରକାଶ କରିଥିଲେ। ଆଲୋକର ଅଭାବ କିମ୍ବା ଢିଲା ପାଟ୍ରୋଲିଂ କାରଣରୁ ଏହି ସ୍ଥାନଗୁଡ଼ିକୁ ବିପଦପୂର୍ଣ୍ଣ ଜୋନ୍ ହେବାକୁ ଦିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା।
ଆସ୍ଥା କୁଞ୍ଜ ପାର୍କରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ଗ୍ରେଟର ନୋଏଡାରୁ ଦିଲ୍ଲୀ ଆସୁଥିବା ଏକ ସ୍ଲିପର ବସ୍ ଭିତରେ ଜଣେ ନାବାଳିକାଙ୍କ ସହ ଯୌନ ନିର୍ଯାତନା (ଯାହାକୁ କୋର୍ଟ ୨୦୧୨ ନିର୍ଭୟା ମାମଲା ସହ ତୁଳନା କରିଥିଲେ) ଭଳି ଘଟଣା ପରେ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି। ଆସନ୍ତା ନଭେମ୍ବର ୧୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

