ଆଜି ଠାରୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ପାଖରେ ଆରମ୍ଭ ହେବ ଷୋଡ଼ଶଦିନାତ୍ମକ ପୂଜା । ଆଜି ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ସହସ୍ରକୁମ୍ଭାଭିଷେକ ଏବଂ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହେବ ।
ମୂଳାଷ୍ଟମୀ ଠାରୁ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଷୋଳ ଦିନ ଠାକୁରାଣୀଙ୍କ ବିଶେଷ ପୂଜା ହେବ ଶ୍ରୀମନ୍ଦିର ସ୍ୱତ୍ୱଲିପି ମୁତାବକ ଏହି ୧୬ ଦିନ ସ୍ତ୍ରୀ ଲୋକଙ୍କ ପାଇଁ ବିମଳା ମନ୍ଦିର ପ୍ରବେଶ ନିଷେଧ ଥାଏ । ଏହି ଅବସରରେ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇ ରାଜଗୁରୁ ପୁରୋହିତଙ୍କୁ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଏବଂ ନଡ଼ିଆ ପ୍ରଦାନ କରାଯିବ ।
ଏହାପରେ ଏହି ଗୁଆ ଏବଂ ନଡ଼ିଆ ଦେଇ ରାଜଗୁରୁ ପୁରୋହିତ ଗଜପତି ମହାରାଜଙ୍କ ପ୍ରତିନିଧି ଭାବେ ବ୍ରାହ୍ମଣମାନଙ୍କୁ ବରଣ କରିବେ । ବିମଳାଙ୍କ ପୀଠ ପାଇଁ ଜଣେ ପୂଜକ, ଜଣେ ପରିଚ୍ଛା, ଚଣ୍ଡୀପାଠ, ସହସ୍ରନାମ ପାଠକ ଏବଂ ମନ୍ତ୍ରଯାପକଙ୍କୁ ବରଣ କରିବେ ରାଜଗୁରୁ ପୁରୋହିତ । ଏଥି ସହିତ ଶ୍ରୀମନ୍ଦିର ବେଢା ପରିସରରେ ମା’ ଭୁବନେଶ୍ୱରୀ, ମା’ ବାଟମଙ୍ଗଳା ଏବଂ ମା’ ଉତ୍ତରାୟଣୀଙ୍କ ପୀଠ ନିମନ୍ତେ ମଧ୍ୟ ପୂଜକ ଏବଂ ଚଣ୍ଡୀପାଠକ ବରଣ କରାଯିବେ ।
ଶ୍ରୀକ୍ଷେତ୍ର ମଧ୍ୟରେ ଆଲମଚଣ୍ଡୀ, କପିଳେଶ୍ୱର ଶାସନର ପଞ୍ଚମୁଖୀ ଠାକୁରାଣୀ, ଦକ୍ଷିଣକାଳୀ ଭଳି ଅନେକ ଶକ୍ତିପୀଠ ରହିଛି । ସେପଟେ ଶାରଦୀୟ ପୂଜାର୍ଚ୍ଚନା ଶୁଭାରମ୍ଭ ହେବାପରେ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀର ସ୍ୱତନ୍ତ୍ର ପୂଜା ହେବ । ଦଶହରାରେ ଆୟୁଧ ପୂଜା ଅନୁଷ୍ଠିତ ହେବ ।
