ଦିନ ଥିଲା ଢ଼େଙ୍କାନାଳସ୍ଥିତ କେନ୍ଦ୍ର ସରକାରଙ୍କ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି) ରେ ନାମ ଲେଖାଇବାକୁ ପିଲାଙ୍କ ଲମ୍ବା ଲାଇନ୍ ଲାଗୁଥିଲା । ନାମଲେଖା ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପିଲାମାନେ ବର୍ଷ ବର୍ଷ ଧରି ପ୍ରସ୍ତୁତି କରୁଥିଲେ । ବର୍ତ୍ତମାନ ଏମିତି ସମୟ ଆସିଛି ନାମଲେଖା ପାଇଁ ପିଲା ମିଳୁନାହାନ୍ତି । ଏଠାରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ୯୦% ସିଟ୍ ଖାଲି ପଡ଼ୁଛି । ଏତିକି ନୁହେଁ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୭୨.୫%, ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୭୫%, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୬୫%, ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜରେ ୯୦% ସିଟ୍ ଖାଲି ପଡ଼ିଛି ।
ବାରିପଦାର ଏମ୍ପିସି ସ୍ୱୟଂଶାସିତ କଲେଜ ଓ ବ୍ରହ୍ମପୁରର ସମ୍ରାଟ ଡିଗ୍ରୀ କଲେଜରେ ଚଳିତ ବର୍ଷ କେହି ନାମ ଲେଖାଇନାହାନ୍ତି । ଏହା ଦର୍ଶାଉଛି ଆଜିର ଯୁବପିଢ଼ି ଅର୍ଥାତ୍ ‘ଜେନ୍-ଜି’ ସାମ୍ବାଦିକତାରୁ ମୁହଁ ମୋଡ଼ୁଛନ୍ତି ।
ସୂଚନାଯୋଗ୍ୟ, କୋଭିଡ୍ ପୂର୍ବ ଅର୍ଥାତ୍ ୨୦୨୦ ମସିହା ପୂର୍ବରୁ ଢେଙ୍କାନାଳ ଆଇଆଇଏମ୍ସିରେ ନାମଲେଖା ପାଇଁ ରହିଥିବା ସିଟ୍ ଖାଲି ରହୁନଥିଲା । ଏହି ଅନୁଷ୍ଠାନରେ ଓଡ଼ିଆ ସାମ୍ବାଦିକତା ଓ ଗଣମାଧ୍ୟମ ଯୋଗାଯୋଗ ବିଭାଗର ମୋଟ୍ ୩୦ଟି ସିଟ୍ ରହିଛି । ଚଳିତ ବର୍ଷ ଏହି ୩୦ ସିଟ୍ରେ ୬ ଜଣ ପିଲା ନାମଲେଖାଇଛନ୍ତି । ଇଂରାଜୀ ସାମ୍ବାଦିକତା ବିଭାଗରେ ୬୫ ସିଟ୍ରୁ ୧୭ ସିଟ୍ ଖାଲି ରହିଛି । ଏମିତି ସ୍ଥିତି ହୋଇଛି ଯେ ପ୍ରତିଷ୍ଠାନ କର୍ତ୍ତୃପକ୍ଷ ସିଟ୍ ପୂରଣ ପାଇଁ ବାରମ୍ବାର ସୋସିଆଲ୍ ମିଡିଆରେ ପ୍ରଚାର ପ୍ରସାର କରୁଛନ୍ତି । ଅନ୍ୟପଟେ ସାମ୍ସ ତଥ୍ୟ କହୁଛି, ଉତ୍କଳ ବିଶ୍ୱବିଦ୍ୟାଳୟରେ ମୋଟ୍ ୩୨ଟି ସିଟ୍ରୁ ୨୬ ଜଣ ନାମଲେଖାଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମୋଟ୍ ୪୦ଟି ସିଟ୍ରୁ ମାତ୍ର ୧୧ଟି ସିଟ୍ରେ ନାମଲେଖା ହୋଇଛି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଥିବା ୫୦ଟି ସିଟ୍ରୁ ୨୩ଟିରେ ନାମଲେଖା ହୋଇଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଥିବା ୩୨ ସିଟ୍ରୁ ମାତ୍ର ୮ ସିଟ୍ ପୂରଣ ହୋଇଥିବା ବେଳେ ବାକି ୨୪ରେ କେହି ନାମ ଲେଖାଇବାକୁ ନାରାଜ । ସେହିପରି ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜରେ ୩୨ଟି ସିଟ୍ ଥିବା ବେଳେ ମାତ୍ର ୩ଜଣ ନାମ ଲେଖାଇଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପିଜି ବିଭାଗରେ ମୋଟ ୩୨ ସିଟ୍ରୁ ୧୧ଟି ନାମଲେଖା ହୋଇଛି । ସେହିପରି ସ୍ନାତକରେ ଚଳିତ ବର୍ଷ ସାମ୍ବାଦିକତା ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିପାଇଁ ୪୮ଟି ସିଟ୍ ଥିଲା । ଏଥିରୁ ୩୭ ଜଣ ନାମଲେଖାଇଛନ୍ତି ।

