ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ କମ୍ପ୍ୟୁଟର ଆଜିର ଜୀବନର ଅବିଚ୍ଛିନ୍ନ ଅଂଶ ପାଲଟିଛି। କାର୍ଯ୍ୟ, ପାଠପଢ଼ା, ମନୋରଞ୍ଜନ ଓ ଯୋଗାଯୋଗ ପାଇଁ ଅଧିକାଂଶ ଲୋକ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ସ୍କ୍ରିନ୍ ସାମ୍ନାରେ ସମୟ ବିତାଉଛନ୍ତି। ତେବେ ନୂଆ ବୈଜ୍ଞାନିକ ଗବେଷଣା ସୂଚାଉଛି ଯେ, ଅତ୍ୟଧିକ ସ୍କ୍ରିନ୍ ବ୍ୟବହାର କେବଳ ଆଖି କିମ୍ବା ନିଦ ଉପରେ ନୁହେଁ, ବରଂ ମେରୁଦଣ୍ଡ, ମାଂସପେଶୀ, ହାତର ଶକ୍ତି, ମୋଟର ଦକ୍ଷତା ଏବଂ ଦୀର୍ଘମିଆଦିରେ ମସ୍ତିଷ୍କର କାର୍ଯ୍ୟକ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇପାରେ।
ମେରୁଦଣ୍ଡରେ ଆଘାତ
ବିଶେଷଜ୍ଞଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି ମୁଣ୍ଡ ନୁଆଁଇ ଫୋନ୍ ବ୍ୟବହାର କରିବାର ଅଭ୍ୟାସ ବେକ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରେ। ଏହି ସମସ୍ୟାକୁ “ଟେକ୍ ନେକ୍” ବୋଲି କୁହାଯାଏ। ଏପରି ଅବସ୍ଥାରେ ମେରୁଦଣ୍ଡର ଡିସ୍କ, ସନ୍ଧି ଓ ମାଂସପେଶୀ ଧୀରେ ଧୀରେ ଦୁର୍ବଳ ହୋଇପାରେ। ଦୀର୍ଘ ସମୟ ଏହି ଅଭ୍ୟାସ ରହିଲେ ବେକ ଓ ପିଠି ଯନ୍ତ୍ରଣା ସହ ଫୁସଫୁସର କ୍ଷମତା ମଧ୍ୟ କମିପାରେ। କେତେକ କ୍ଷେତ୍ରରେ ଶରୀରର ସ୍ୱାଭାବିକ ଗଠନରେ ମଧ୍ୟ ସ୍ଥାୟୀ ପରିବର୍ତ୍ତନ ଆସିପାରେ।
ଚର୍ମରୋଗ ବିଶେଷଜ୍ଞମାନଙ୍କ ମତରେ, ସବୁବେଳେ ବେକ ନୁଆଁଇ ରଖିବା ଯୋଗୁଁ ବେକରେ କୁଞ୍ଚନ ଦେଖାଦେବାର ଆଶଙ୍କା ବଢ଼ିପାରେ। ଯଦିଓ ଏହାକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ବୈଜ୍ଞାନିକ ପ୍ରମାଣ ମିଳିନାହିଁ, ତଥାପି ଦୀର୍ଘ ସମୟ ଧରି ଏକେ ପୋଜିସନରେ ରହିବା ଚର୍ମ ଉପରେ ଚାପ ସୃଷ୍ଟି କରିପାରେ। ଅନ୍ୟପଟେ, ସାରା ଦିନ ସ୍ମାର୍ଟୱାଚ୍ ପିନ୍ଧି ରଖିଲେ ଘାମ ଓ ଆର୍ଦ୍ରତା କାରଣରୁ ଚର୍ମରେ ଜ୍ୱଳନ, ଏକଜିମା କିମ୍ବା ଆଲର୍ଜି ହେବାର ସମ୍ଭାବନା ମଧ୍ୟ ରହିଛି।
ଆଖି ଉପରେ ମଧ୍ୟ ଡିଜିଟାଲ୍ ଉପକରଣର ପ୍ରଭାବକୁ ନେଇ ବିଶେଷଜ୍ଞମାନେ ସତର୍କ କରିଛନ୍ତି। ଅଧ୍ୟୟନ ଅନୁଯାୟୀ, ଫୋନ୍ ବ୍ୟବହାର ମାୟୋପିଆର ସିଧାସଳଖ କାରଣ ବୋଲି ପ୍ରମାଣିତ ହୋଇନଥିଲେ ମଧ୍ୟ, ଦୀର୍ଘ ସମୟ ଘର ଭିତରେ ରହିବା ଏବଂ ବାହାରେ କମ୍ ସମୟ ବିତାଇବା ଆଖିର ବିକାଶକୁ ପ୍ରଭାବିତ କରିପାରେ। ପ୍ରାକୃତିକ ଆଲୋକରେ ସମୟ ବିତାଇବା ରେଟିନାର କାର୍ଯ୍ୟକୁ ସହାୟତା କରେ ଓ ଆଖିର ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଗବେଷକମାନେ କହିଛନ୍ତି।
ଗ୍ରିପ୍ ଶକ୍ତି ହ୍ରାସ ପାଉଛି
ଗବେଷଣାରେ ଆଉ ଏକ ଚିନ୍ତାଜନକ ଦିଗ ସାମ୍ନାକୁ ଆସିଛି। ବିଭିନ୍ନ ଦେଶରେ, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ହାତର ଗ୍ରିପ୍ ଶକ୍ତି କ୍ରମାଗତ ଭାବେ ହ୍ରାସ ପାଉଛି। ବିଶେଷଜ୍ଞଙ୍କ ମତରେ, ଦୀର୍ଘ ସମୟ ବସି କାମ କରିବା ଓ କମ୍ ଶାରୀରିକ ପରିଶ୍ରମ ଏହାର ପ୍ରମୁଖ କାରଣ ହୋଇପାରେ। ଗ୍ରିପ୍ ଶକ୍ତିକୁ ବର୍ତ୍ତମାନ ସାମଗ୍ରିକ ସ୍ୱାସ୍ଥ୍ୟର ଏକ ମୁଖ୍ୟ ସୂଚକ ଭାବେ ଦେଖାଯାଉଛି। ତେଣୁ ନିୟମିତ ବ୍ୟାୟାମ, ଟେନିସ୍ ବଲ୍ ଚିପିବା ଭଳି ସରଳ ଅଭ୍ୟାସ ଓ ହାତରେ କାମ କରିବା ଉପରେ ଜୋର ଦିଆଯାଇଛି।
ପିଲାମାନଙ୍କ କ୍ଷେତ୍ରରେ ଅଧିକ ସ୍କ୍ରିନ୍ ସମୟ ହାତ-ଆଖିମଧ୍ୟ ପ୍ରଭାବିତ କରିପାରେ। ମନସ୍ତତ୍ତ୍ୱ ବିଶେଷଜ୍ଞମାନେ କହିଛନ୍ତି, ଯେଉଁ ପିଲାମାନେ ଅଧିକ ସମୟ ସ୍କ୍ରିନ୍ ସାମ୍ନାରେ ବିତାଉଛନ୍ତି, ସେମାନଙ୍କ ସ୍କିଲ୍ ଦୁର୍ବଳ ହେବାର ସମ୍ଭାବନା ଅଧିକ। ତେଣୁ ରୋଷେଇ, ଚିତ୍ରାଙ୍କନ, ହାତରେ ଲେଖିବା, ବଗିଚା କାମ କିମ୍ବା ଖେଳକୁଦ ଭଳି କାର୍ଯ୍ୟକଳାପକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ଆବଶ୍ୟକ।
ଆଖି ଉପରେ ପ୍ରଭାବ
ବିଶେଷଜ୍ଞମାନଙ୍କ ମତରେ, ସ୍କ୍ରିନ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସମାଧାନ ନୁହେଁ। ବରଂ ସଠିକ୍ ଅଭ୍ୟାସ ଗଢ଼ି ତୋଳିବା ଆବଶ୍ୟକ। ଫୋନ୍କୁ ଆଖି ସ୍ତରରେ ଧରିବା, ପ୍ରତି ୨୦ରୁ ୩୦ ମିନିଟ୍ରେ ସ୍କ୍ରିନ୍ରୁ ବିରତି ନେବା, ନିୟମିତ ବ୍ୟାୟାମ କରିବା, ପ୍ରତିଦିନ କିଛି ସମୟ ବାହାରେ ବିତାଇବା ଏବଂ ଡିଜିଟାଲ୍ ଉପକରଣର ସନ୍ତୁଳିତ ବ୍ୟବହାର କରିବା ଦ୍ୱାରା ଏହି ବିପଦକୁ ଅନେକାଂଶରେ କମାଯାଇପାରିବ। ପ୍ରଯୁକ୍ତିର ସୁବିଧା ଉପଭୋଗ କରିବା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ହିଁ ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି
