ଜଣେ ମନ୍ତ୍ରୀ କିନ୍ତୁ ତାଙ୍କ ହାତରେ ନାହିଁ ଫାଇଲ୍। ହାତରେ ଅଛି ମଗ୍ । ଆଉ ଢ଼ାଳି ଦେଇ ଯାଉଛନ୍ତି ମଗ୍ ମଗ୍ ପାଣି । କାନ୍ଥ ବାଡ଼ କିଛି ଛାଡୁ ନାହାନ୍ତି । ସଫା କରୁଛନ୍ତି ଟଏଲେଟ୍। ଏ ଦୃଶ୍ୟ ଆସିଛି ତେଲେଙ୍ଗାନାରୁ।ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲା। ପେଣ୍ଟଲାଭେଲ୍ଲି ମଣ୍ଡଳ ତହସିଲ କାର୍ଯ୍ୟାଳୟର ଅଚାନକ ନିରୀକ୍ଷଣରେ ପହଞ୍ଚିଥିଲେ ରାଜ୍ୟ ମନ୍ତ୍ରୀ ଜୁପଲ୍ଲି କୃଷ୍ଣା ରାଓ । କାର୍ଯ୍ୟାଳୟର କିଭଳି କାମ ଚାଲିଛି ତାହା ଦେଖୁଥିଲେ। ଏହି ସମୟରେ ତାଙ୍କ ନଜର ପଡ଼ିଥିଲା ଶୌଚାଳୟ ଉପରେ। ଶୌଚାଳୟର ଅବସ୍ଥା ଥିଲା ଅପରିଷ୍କାର। ସଫାସୁତୁରାରେ ଅବହେଳା ସ୍ପଷ୍ଟ ଦେଖାଯାଉଥିଲା। ଏହା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ମନ୍ତ୍ରୀ।
ଏହାପରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଚକିତ କରିଦେଲା। ନିଜେ ଟଏଲେଟ୍ ସଫା କରିବା ଆରମ୍ଭ କଲେ ଜୁପଲ୍ଲି କୃଷ୍ଣା ରାଓ।କେବଳ ଟଏଲେଟ୍ ସଫା କରି ଅଟକି ନଥିଲେ ମନ୍ତ୍ରୀ। ସଫାସୁତୁରାରେ ଅବହେଳା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ କଡ଼ା ତାଗିଦ କରିଥିଲେ। କାର୍ଯ୍ୟାଳୟ ପରିସରକୁ ପରିଷ୍କାର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବାକୁ କହିଥିଲେ। ଏହି ନିରୀକ୍ଷଣ କେବଳ ସଫାସୁତୁରା ପର୍ଯ୍ୟନ୍ତ ସୀମିତ ନଥିଲା। ମନ୍ତ୍ରୀ ରାଜସ୍ୱ ସମ୍ବନ୍ଧୀୟ ଆବେଦନର ସମୀକ୍ଷା କରିଥିଲେ।
ମଣ୍ଡଳ ରେଭେନ୍ୟୁ କାର୍ଯ୍ୟାଳୟ ଓ ଆରଡିଓ କାର୍ଯ୍ୟାଳୟ ମଧ୍ୟରେ ଅଟକିଥିବା ଫାଇଲ୍ଗୁଡ଼ିକର ସ୍ଥିତି ମଧ୍ୟ ଯାଞ୍ଚ କରିଥିଲେ। ଆବେଦନ ନିଷ୍ପତ୍ତିରେ ବିଳମ୍ବ କାହିଁକି ହେଉଛି ସେନେଇ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଜବାବ ମଧ୍ୟ ମାଗିଥିଲେ। ସଫାସୁତୁରା ହେଉ କି ସରକାରୀ ସେବା। ଦୁଇଟି କ୍ଷେତ୍ରରେ ଦାୟିତ୍ୱବୋଧର ବାର୍ତ୍ତା ଦେଇଛନ୍ତି ତେଲେଙ୍ଗାନା ମନ୍ତ୍ରୀ ଜୁପଲ୍ଲି କୃଷ୍ଣା ରାଓ। ଟଏଲେଟ୍ ସଫା କରୁଥିବା ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

