ଦିଲ୍ଲୀ କ୍ୟାପିଟାଲ୍ସ ୱିକେଟ କିପର ବ୍ୟାଟର୍ ଅଭିଷେକ ପୋରେଲଙ୍କୁ ଗିରଫ କରିଛି ପୋଲିସ । ଅଭିଷେକଙ୍କୁ ହୁଗଲିରେ ପୋଲିସ ଅଟକ ରଖିଥିଲା । କିଛି ଘଣ୍ଟା ପଚରାଉଚରା ପରେ ଗିରଫ କରିଛି । ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ପରେ ଅଭିଷେକ ପୋରେଲଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ତାଙ୍କୁ ଚିନସୁରା କୋର୍ଟରେ ହାଜର କରାଯାଇଥିଲା । ଏହା ପୂର୍ବରୁ କଲିକତା ହାଇକୋର୍ଟ ଅଭିଷେକ ପୋରେଲଙ୍କୁ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପ୍ରତିଶ୍ରୁତି ଦେଇ ଅଭିଷେକ ପୋରେଲ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାସହିତ ପୋରେଲ ସେମାନଙ୍କର ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକୁ ରେକର୍ଡ କରିଥିଲେ । ଅଭିଷେକ ପୋରେଲଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ମହିଳା ଜଣକ ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ ।
ମହିଳା ଅଭିଯୋଗ କରିଛନ୍ତି ଯେ, ଅଭିଷେକ ପୋରେଲ ତାଙ୍କୁ ବେଆଇନ ଭାବରେ ବନ୍ଦୀ କରି ରଖିଥିଲେ ଏବଂ ତାଙ୍କୁ ଖାଦ୍ୟ ମଧ୍ୟ ଦେବାକୁ ମନା କରିଥିଲେ । ସେ ଏବଂ ଅଭିଷେକ୍ ବିଗତ ତିନି ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ ଏବଂ ଦୁହେଁ ବିବାହ କରିବାକୁ ଯୋଜନା କରୁଥିଲେ। ଘଟଣା ୨ ଏପ୍ରିଲ ୨୦୨୬ରେ ଦିଲ୍ଲୀରେ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୋରେଲ୍ଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ବେଙ୍ଗଲ ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଅଭିଷେକ୍ ପୋରେଲ୍ ଏପର୍ଯ୍ୟନ୍ତ ୩୨ଟି ପ୍ରଥମ ଶ୍ରେଣୀ, ୨୩ଟି ଲିଷ୍ଟ-ଏ ଏବଂ ୬୧ଟି T20 ମ୍ୟାଚ୍ ଖେଳିସାରିଛନ୍ତି । ଏହାସହ ୨୦୨୩ ରୁ IPL ରେ ସୁଯୋଗ ପାଇଥିବା ଅଭିଷେକ୍ ଏପର୍ଯ୍ୟନ୍ତ ୩୫ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୪୦୮ ରନ୍, ଲିଷ୍ଟ-ଏ ରେ ୮୩୩ ରନ୍ ଏବଂ T20 ରେ ୧୫୯୦ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲ୍ ୩୩ଟି ଇନିଂସରେ ବ୍ୟାଟିଂ କରି ସେ ୭୬୯ ରନ୍ ହାସଲ କରିଛନ୍ତି ।
