ଚୀନ୍ ରେ ତାଣ୍ଡବ ରଚିଲା ‘ଡଲଫିନ୍’ । ୧୫୦ କିମି ବେଗରେ ପବନ ବହିଛି । ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜାପାନର ଓକିନାୱା ଓ ତାଇୱାନ ନିକଟବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ପରେ ଶକ୍ତିଶାଳୀ ଟାଇଫୁନ୍ ‘ଡଲଫିନ୍’ ରବିବାର ଚୀନ୍ ର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଛି । ଝେଜିଆଙ୍ଗ ପ୍ରଦେଶରେ ଏହାର ପ୍ରଭାବରେ ପ୍ରବଳ ପବନ ସହ ମୂଷଳଧାରା ବର୍ଷା ହୋଇଛି । ଏଥିଯୋଗୁ ବନ୍ୟା ଓ ଭୂସ୍ଖଳନ ଆଶଙ୍କା ବଢ଼ିଛି । ‘ଡଲଫିନ୍’ ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୫ଟା ୩୦ରେ ଝେଜିଆଙ୍ଗର ତାଇଝୋଉ ସହର ଅନ୍ତର୍ଗତ ୟୁହୁଆନ୍ ନିକଟରେ ପ୍ରଥମେ ସ୍ଥଳଭାଗ ଛୁଇଁଥିଲା । ସେତେବେଳେ ଝଡ଼ର କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୫୧ କିଲୋମିଟର ଓ କେନ୍ଦ୍ରୀୟ ବାୟୁଚାପ ପ୍ରାୟ ୯୪୫ ହେକ୍ଟୋପାସ୍କାଲ ରହିଥିଲା । ପ୍ରାୟ ୭୦ ମିନିଟ୍ ପରେ ସନ୍ଧ୍ୟା ୬ଟା ୪୦ରେ ଏହା ୱେନ୍ ଝୋଉର ୟୁଏକିଙ୍ଗ ଅଞ୍ଚଳରେ ଦ୍ୱିତୀୟଥର ପାଇଁ ସ୍ଥଳଭାଗ ଛୁଇଁଥିଲା । ସେତେବେଳେ ମଧ୍ୟ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୩୭ କିଲୋମିଟର ଥିଲା । ‘ଡଲଫିନ୍’କୁ ଚଳିତବର୍ଷ ଏପର୍ଯ୍ୟନ୍ତ ଚୀନ୍ ରେ ଆଘାତ କରିଥିବା ସବୁଠାରୁ ଶକ୍ତିଶାଳୀ ଟ୍ରପିକାଲ୍ ସାଇକ୍ଲୋନ୍ ବୋଲି ବର୍ଣ୍ଣନା କରାଯାଇଛି ।
ଅନ୍ତର୍ଜାତୀୟ ତାରିଖ ରେଖା ନିକଟରେ ଅସାଧାରଣ ଭାବେ ବହୁ ଦୂର ପୂର୍ବରେ ସୃଷ୍ଟି ହୋଇଥିବା ଏହି ଝଡ଼ ୭,୦୦୦ କିଲୋମିଟରରୁ ଅଧିକ ଦୂର ଅତିକ୍ରମ କରି ଚୀନ୍ ରେ ପହଞ୍ଚିଥିବା କୁହାଯାଉଛି । ଝଡ଼ର ଭୟାବହତାକୁ ଦୃଷ୍ଟିରେ ରଖି ଚୀନ୍ ରେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି । କେବଳ ୱେନ୍ ଝୋଉରେ ୯ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେହିପରି ହଜାରେରୁ ଅଧିକ ଜରୁରୀକାଳୀନ ଆଶ୍ରୟସ୍ଥଳ ଖୋଲାଯାଇଛି । ସାଂଘାଇର ବିପଦପ୍ରବଣ ଅଞ୍ଚଳରୁ ମଧ୍ୟ ଅତିକମରେ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ‘ଡଲଫିନ୍’ ପ୍ରଭାବରେ ଚୀନ୍ ର ପରିବହନ ବ୍ୟବସ୍ଥା ମଧ୍ୟ ବ୍ୟାପକ ପ୍ରଭାବିତ ହୋଇଛି । ସାଂଘାଇର ବିମାନବନ୍ଦରଗୁଡ଼ିକରେ ପ୍ରାୟ ୧,୩୦୦ରୁ ୧,୫୦୦ ବିମାନ ଉଡ଼ାଣ ବାତିଲ ହୋଇଥିବାବେଳେ ହାଙ୍ଗଝୋଉ ବିମାନବନ୍ଦରରେ ମଧ୍ୟ ଶତାଧିକ ଉଡ଼ାଣ ପ୍ରଭାବିତ ହୋଇଛି । ଅନେକ ଟ୍ରେନ୍ ଓ ଫେରି ସେବା ସ୍ଥଗିତ ରଖାଯାଇଛି । ବନ୍ଦର କାର୍ଯ୍ୟକଳାପ ବନ୍ଦ କରାଯିବା ସହ ମାଛଧରା ଡଙ୍ଗାଗୁଡ଼ିକୁ କୂଳକୁ ଫେରାଇ ଅଣାଯାଇଛି । ଚୀନ୍ ସରକାର ଟାଇଫୁନ୍ ପାଇଁ ସର୍ବୋଚ୍ଚ ସ୍ତରର ‘ରେଡ୍ ଆଲର୍ଟ’ ଜାରି କରିଛନ୍ତି ।
ୱେନ୍ ଝୋଉ, ତାଇଝୋଉ ଓ ନିଙ୍ଗବୋ ଭଳି ପ୍ରମୁଖ ସହରରେ ସର୍ବୋଚ୍ଚ ‘ଲେଭଲ୍-୧’ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସକ୍ରିୟ କରାଯାଇଛି । ଝଡ଼ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଉଥିଲେ ମଧ୍ୟ ଏହାର ବର୍ଷାଜନିତ ବିପଦ ଏବେ ବି ଟଳିନାହିଁ । ଅଗଷ୍ଟ ୧୨ ପର୍ଯ୍ୟନ୍ତ ଝେଜିଆଙ୍ଗ, ସାଂଘାଇ, ଉତ୍ତର ଫୁଜିଆନ୍, ଜିଆଙ୍ଗସୁ ଓ ଆନ୍ ହୁଇ ସମେତ ପୂର୍ବ ଓ ମଧ୍ୟ ଚୀନ୍ ର ବିସ୍ତୃତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଝେଜିଆଙ୍ଗର କେତେକ ସ୍ଥାନରେ ୨୫୦ରୁ ୫୦୦ ମିଲିମିଟର ଏବଂ ସ୍ଥାନୀୟ ଭାବେ ୬୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ଏଥିପାଇଁ ପାହାଡ଼ିଆ ଅଞ୍ଚଳରେ ଆକସ୍ମିକ ବନ୍ୟା, ଭୂସ୍ଖଳନ ଓ ନଦୀରେ ଜଳସ୍ତର ବୃଦ୍ଧିକୁ ନେଇ ପ୍ରଶାସନ ସତର୍କ କରିଛି । ସ୍ଥଳଭାଗକୁ ପ୍ରବେଶ କରିବା ପରେ ‘ଡଲଫିନ୍’ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦ୍ରୁତ ଦୁର୍ବଳ ହେବାର ସମ୍ଭାବନା ରହିଛି । ତେବେ ଏହାର ଅବଶିଷ୍ଟ ପ୍ରଭାବ ଉତ୍ତର ଦିଗକୁ ବ୍ୟାପି ଆଗାମୀ କିଛି ଦିନ ଧରି ବ୍ୟାପକ ବର୍ଷା କରାଇପାରେ ବୋଲି ସୂଚନା ଦିଆଯାଇଛି ।
