ଚୀନ୍ ଉପକୂଳ ମୁହାଁ ଟାଇଫୁନ୍ ‘ଡଲଫିନ୍’ । ୱେନ୍ ଝୋଉ ନିକଟରେ ଲ୍ୟାଣ୍ଡଫଲ୍ ଆଶଙ୍କା । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ୫ ହଜାର କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିବା ପରେ ଏବେ ଚୀନ୍ ଉପକୂଳ ମୁହାଁ ଶକ୍ତିଶାଳୀ ଟାଇଫୁନ୍ ‘ଡଲଫିନ୍’। ଜୁଲାଇ ୨୬ରେ ସୃଷ୍ଟି ହୋଇଥିବା ଏହି ଟାଇଫୁନ୍ ଗତକାଲି ଓକିନାୱା ଅତିକ୍ରମ କରି ପୂର୍ବ ଚୀନ୍ ସାଗରରେ ପ୍ରବେଶ କରିଛି ଏବଂ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେଉଛି। ଆକଳନ ଅନୁଯାୟୀ, ଟାଇଫୁନ ଡଲଫିନ୍ ଚୀନର ୱେନ୍ ଝୋଉଠାରୁ ପ୍ରାୟ ୫୫୦ କିଲୋମିଟର ପୂର୍ବରେ ରହିଛି।
ଏହା ଘଣ୍ଟାପ୍ରତି ପ୍ରାୟ ୧୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଟାଇଫୁନରେ ପବନର ବେଗ ପ୍ରାୟ ୧୭୦ କିମି ପ୍ରତି ଘଣ୍ଟା ଥିବାବେଳେ ଝଟକା ପବନ ୨୦୫ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚୁଛି। ଉଷ୍ଣ ସମୁଦ୍ର ଜଳ ଓ ଅନୁକୂଳ ବାୟୁମଣ୍ଡଳୀୟ ପରିସ୍ଥିତି କାରଣରୁ ଡଲଫିନ୍ ଆହୁରି କିଛି ଶକ୍ତିଶାଳୀ ହୋଇପାରେ।
ଆସନ୍ତକାଲି ଆଡ଼କୁ ଏହା ଧୀରେ ଧୀରେ ଦୁର୍ବଳ ହେବାର ଆକଳନ ରହିଛି।ପୂର୍ବାନୁମାନ ଅନୁସାରେ, ଆସନ୍ତାକାଲି ଅପରାହ୍ଣ କିମ୍ବା ସନ୍ଧ୍ୟାରେ ୱେନ୍ ଝୋଉ ନିକଟରେ ଡଲଫିନ ସ୍ଥଳଭାଗ ଛୁଇଁପାରେ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୪୦ କିମି ଏବଂ ଝଟକା ପବନ ୧୭୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ସ୍ଥଳଭାଗରେ ପ୍ରବେଶ ପରେ ଏହା ଦ୍ରୁତ ଦୁର୍ବଳ ହେବାର ସମ୍ଭାବନା ରହିଛି। ଟାଇଫୁନ୍ ପ୍ରଭାବରେ ଜାପାନର ର୍ୟୁକ୍ୟୁ ଦ୍ୱୀପପୁଞ୍ଜରେ ସପ୍ତାହାନ୍ତରେ ପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ଆଜି ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବା ସହ ବନ୍ୟା ଓ ଭୂସ୍ଖଳନର ବିପଦ ବଢ଼ିପାରେ।
ସେହିପରି ଚୀନ୍ ର ୱେନ୍ ଝୋଉ ଏବଂ ଏହାର ଉତ୍ତର ଉପକୂଳରେ ଆସନ୍ତକାଲିଠାରୁ ପରିସ୍ଥିତି ଗୁରୁତର ହୋଇପାରେ। ଉପକୂଳରେ ଝଟକା ପବନ ୧୭୦ କିମି ପ୍ରତି ଘଣ୍ଟା ଛୁଇଁପାରେ। ୧୫୦ରୁ ୩୫୦ ମିଲିମିଟର, ସ୍ଥାନୀୟ ଭାବେ ୪୫୦ ମିଲିମିଟରରୁ ଅଧିକ ବର୍ଷା ସହ ସମୁଦ୍ରରେ ୪ ମିଟରର ଜୁଆର ଉଠିପାରେ। ଫଳରେ ବନ୍ୟା ଓ ଭୂସ୍ଖଳନର ବଡ଼ ବିପଦ ରହିଛି।

