ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଯାହା ସମସ୍ତଙ୍କ ପାଇଁ ଘାତକ ବୋଲି ସାବ୍ୟସ୍ତ ହୋଇଛି । ଗତ ୩ ଦିନ ମଧ୍ୟରେ ଗଲାଣି ୫ ଜୀବନ । ଖୋଲା ମ୍ୟାନହୋଲ୍, ବିଦ୍ୟୁତ୍ ଆଘାତ ଏବଂ ଗଛ ପଡ଼ିବା ଭଳି ଦୁର୍ଘଟଣା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।
ଗତ କିଛି ଦିନ ଧରି ଲାଗି ରହିଥିବା ବର୍ଷା ମୁମ୍ବାଇକୁ ବେହାଲ କରିଛି । ବର୍ଷା ଯୋଗୁଁ ରାସ୍ତାଗୁଡିକ ଜଳମଗ୍ନ ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁଃର୍ଭାଗ୍ୟବସତଃ ଏହି ବର୍ଷା ଯୋଗୁଁ ୩ ଦିନ ମଧ୍ୟରେ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲିଯାଇଛି ।
ପ୍ରବଳ ବର୍ଷା ଯୋଗୁଁ ୩୦ ଜୁନରେ ମୁମ୍ବାଇରେ ଗଛ ପଡି ୧୧ ବର୍ଷୀୟ ବିହାନଙ୍କର ମୃତ୍ୟୁ ଘଟିଥିଲା । ଡୋମ୍ବିଭାଲିର ହନୁମାନ ନଗରରେ ବିଦ୍ୟୁତ୍ ଆଘାତ ଲାଗି ୪୨ ବର୍ଷୀୟ ଶଶି ଚକ୍ରଙ୍କ ଜୀବନ ଚାଲି ଯାଇଥିଲା । ବର୍ଷା ଝଡ଼ ସମୟରେ ବିଦ୍ୟୁତ୍ ଆଘାତରେ ୧୭ ବର୍ଷୀୟ ଆଲିଆଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ସେହିପରି ଖୋଲା ମ୍ୟାନହୋଲରେ ୫୫ ବର୍ଷୀୟ ଅସଲମ ଶେଖଙ୍କ ମୃତ୍ୟୁ ହୋଇଥିଲା । ଯାହା ମୁମ୍ବାଇର ସବୁଠାରୁ ଚର୍ଚ୍ଚିତ ଘଟଣା ।
୫୫ ବର୍ଷୀୟ ଅସଲମ ଶେଖ ଅନ୍ଧେରିର ସାକିନାକା ଅଞ୍ଚଳର ଖୈରାନି ରୋଡରେ ଏକ ଖୋଲା ମ୍ୟାନହୋଲରେ ପଡ଼ିଯାଇଥିଲେ । ଯାହା ୧୫ ଫୁଟର ଏକ ଗର୍ତ୍ତ ଥିଲା । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇପାରିଲା ନାହିଁ । ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶୋକରେ ବୁଡି ରହିଛନ୍ତି । ଏପରି ଦୁର୍ଘଟଣା ପାଇଁ ପରିବାର ଲୋକେ ସରକାର ଏବଂ ବିଏମସି ପ୍ରଶାସନକୁ ଦାୟୀ କରିଛନ୍ତି । ଦୁର୍ଘଟଣାର ଖବର ପାଇ ବିଏମସି ମେୟର ଋତୁ ତାୱଡେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାହାନା କରିବା ପରିବର୍ତ୍ତେ ସେ ତୁରନ୍ତ ବିଏମସି ପ୍ରଶାସନର ଭୁଲ ଏବଂ ଅବହେଳାକୁ ସ୍ୱୀକାର କରିଥିଲେ। ଏଥିସହ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା ମଧ୍ୟ କରିଥିଲେ ।
ଅନ୍ୟପଟେ ଦୁର୍ଘଟଣାର ଅବହେଳା ପାଇଁ ସାକିନାକା ୱାର୍ଡ ଅଫିସରଙ୍କ ସମେତ ୪ ଜଣ ବିଏମସି ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମେୟର ଋତୁ ତାୱଡେ । କାମକୁ ଅଧାରୁ ଛାଡି ଦେଇଥିବା ଠିକାଦାରଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଏହାରି ମଧ୍ୟରେ ଅବହେଳାକାରୀ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ବିଜେପି ସଭାପତି ଏବଂ ବିଜେପି ବିଧାୟକ ଅମିତ୍ ସଟମ୍ କହିଥିଲେ । ବାଚସ୍ପତି ରାହୁଲ ନାର୍ଭେକର ସାକିନାକା ଦୁର୍ଘଟଣାର ଏକ ରିପୋର୍ଟ ମାଗିଥିଲେ । ଏହା ପରେ, ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ମାଧୁରୀ ମିସାଲ ଗୃହରେ ଦୁର୍ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ ।

