ଝିଆରୀ ଲଗ୍ନଧରାକୁ ଯିବା ପଡିଲା ମହଙ୍ଗା । ଘରେ କଳାକନା ବୁଲାଇଲେ ଲୁଟେରା । ହେଲେ ଛାଡିଗଲେ ହାପ ପ୍ୟାଣ୍ଟ ଏବଂ ଲୁହାରଡ଼ । ଉଦଳା ଥାନା ଅଠଣଗାଁ ୧୦ ନମ୍ବର ୱାର୍ଡରେ ହୋଇଛି ଲୁଟ । ଗ୍ରାମର ନୀଳକଣ୍ଠ ବେହେରା ପରିବାର ସମେତ ବରହମପୁର ଥାନା ଅଞ୍ଚଳରେ ରହୁଥିବା ଝିଆରୀର ଲଗ୍ନ ଧରାକୁ ଯାଇଥିଲେ । ଆଜି ସକାଳ ସମୟରେ ଘରର ବାଡ଼ ଭଙ୍ଗା ଯିବା ସହିତ ମୁଖ୍ୟ ଗେଟ ଖୋଲାଥିବା ଦେଖି ପଡୋଶୀ ତାଙ୍କୁ ଫୋନ କରିଥିଲେ। ଏହା ପରେ ପରିବାର ଲୋକେ ଘରେ ପହଂଚିଥିବା ବେଳେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ।
ଲୁଟେରା ମାନେ ଘର ମୁଖ୍ୟ ଗେଟ ତାଲା ଭାଙ୍ଗିବା ସହିତ ଘର ଭିତରେ ଥିବା ଗଡ଼ରେଜ ଭାଙ୍ଗି ଝିଆରୀ ବାହାଘର ପାଇଁ ଥିବା ୨ ଲକ୍ଷ ରୁ ଅଧିକ ଟଙ୍କାର ଗହଣା ସମେତ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିବା ଦେଖିବାକୁ ପାଇଥିଲେ । ହେଲେ ଲୁଟେରା ମାନେ ବ୍ୟବହାର କରିଥିବା ଏକ ହାପ ପ୍ୟାଣ୍ଟ ଏବଂ ଲୁଟରେ ବ୍ୟବହୃତ ଦୁଇଗୋଟି ଲୁହା ରଡ଼ ଛାଡି ଚାଲିଯାଇଛନ୍ତି । ଏ ନେଇ ପରିବାର ଲୋକେ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କୁ ତ୍ୱରାନ୍ୱିତ କରିଛି ।
