ଆସନ୍ତା ୨୧ ଜୁନରେ ହେବାକୁ ଥିବା ନିଟ୍ (ୟୁଜି) ୨୦୨୬ ପୁନଃପରୀକ୍ଷାରେ ଯୋଗଦେବାକୁ ଯାଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ସହାୟତାମୂଳକ ପଦକ୍ଷେପ ନେଇଛନ୍ତି। ପରୀକ୍ଷାର୍ଥୀମାନେ ରାଜ୍ୟରେ ଚଳାଚଳ କରୁଥିବା ସରକାରୀ ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ଆଦେଶ ଜାରି କରାଯାଇଛି।
ସୂଚନାନୁସାରେ, NTA ଦ୍ୱାରା ୨୧ ଜୁନରେ ଆୟୋଜିତ ହେବାକୁ ଥିବା ନିଟ୍ (ୟୁଜି) ପୁନଃପରୀକ୍ଷା ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରାୟ ୫୬ ହଜାର ୯୮୩ ଜଣ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଗ୍ରୀଷ୍ମ ପ୍ରବାହ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖିବା ସହ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସହାୟତା ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସହଜରେ ପହଞ୍ଚିବା ପାଇଁ ଏହି ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି।ବିଭାଗୀୟ ଆଦେଶ ଅନୁଯାୟୀ, ପରୀକ୍ଷାର୍ଥୀମାନେ କେବଳ ନିଜର ବୈଧ ନିଟ୍ ଆଡମିଟ୍ କାର୍ଡ ଦେଖାଇ ଓଏସ୍ଆର୍ଟିସି ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ଏହି ବ୍ୟବସ୍ଥାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି), ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ), ଜିଲ୍ଲା ପ୍ରଶାସନ, କ୍ରୁଟ୍ ଓ ଉଚ୍ଚଶିକ୍ଷା ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ଏହି ବ୍ୟବସ୍ଥାର ଦୈନିକ ଅଗ୍ରଗତି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବାକୁ କୁହାଯାଇଛି। ବିଭାଗ ଏହି ନିର୍ଦ୍ଦେଶକୁ ‘ସର୍ବାଧିକ ଜରୁରୀ’ ଭାବେ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନ୍ବୟନ ପାଇଁ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଜାରି କରିଛି।
