ବିହାର ପାଟନା କୋଚିଂ ସେଣ୍ଟର ଫାୟାରିଂ ଘଟଣା । ମୁସ୍କିଲରେ ଥିବା ପ୍ରସିଦ୍ଧ ୟୁଟ୍ୟୁବ ଶିକ୍ଷକ ଖାନ୍ ସାର୍ ଓରଫ ଫୈସଲ ଖାନ୍ ଶେଷରେ କୋର୍ଟର ରାସ୍ତା ବାଛିଛନ୍ତି । ଏଫଆଇଆଇର ହେବାର ୨୪ ଘଣ୍ଟା ପରେ ମଧ୍ୟ ଖାନ୍ ସାର ଗିରଫ ନ ହେବା ପରେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି ଶୁକ୍ରବାର ରାତିସାରା ପାଟନା ପୋଲିସ ଖାନ୍ ସାରଙ୍କୁ ଖୋଜୁଥିଲା । ତେବେ ଆଜି ଖାନ୍ ସାର୍ ପାଟନା ସିଭିଲ କୋର୍ଟରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି । ସେ ନିଜ ଓକିଲ ସହିତ ପାଟନା ସିଭିଲ କୋର୍ଟରେ ପହଞ୍ଚିଥିବାବେଳେ ଜାମିନ ଆବେଦନ ମଧ୍ୟ କରିପାରନ୍ତି ।
ଖାନ୍ ସାରଙ୍କ ଗିରଫଦାରୀରେ ବିଳମ୍ବକୁ ନେଇ ପୂର୍ବରୁ ଗିରଫ ହୋଇସାରିଥିବା ଖାନ୍ ସାରଙ୍କ ପ୍ରତିଦ୍ବନ୍ଦ୍ଵୀ ଜ୍ଞାନବିନ୍ଦୁ କୋଚିଂ ସେଣ୍ଟରର ଶିକ୍ଷକ ବରୁଣ ଠାକୁର ପ୍ରଶ୍ନ ଉଠାଇଥିଲେ । ବରୁଣ କହିଥିଲେ, “ପ୍ରଶାସନ ତତ୍ପରତା ପ୍ରକାଶ କରୁନାହିଁ । ଜ୍ଞାନବିନ୍ଦୁ କୋଚିଂ ସେଣ୍ଟରର ମୁଖ୍ୟ ରୌଶନ ଆନନ୍ଦକୁ ଗିରଫ କରିବା ଲାଗି ପୋଲିସ ତୁରନ୍ତ ପହଞ୍ଚିଥିଲା, ମାତ୍ର ଖାନ୍ ସାରଙ୍କୁ ଗିରଫ କରିବା ଲାଗି ପୋଲିସ ବିଳମ୍ବ କରୁଛି । ଯଦି ପ୍ରଶାସନ ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ନ କରିବ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ।”
- ଖାନ୍ ସାରଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା
ଅନ୍ୟପଟେ ଖାନ୍ ସାରଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହେବା ପରେ ଶୁକ୍ରବାର ରାତିରୁ ପାଟନା ପୋଲିସ ତାଙ୍କୁ ଖୋଜୁଥିଲା । ଖାନ୍ ସାରଙ୍କ ଉପରେ ହତ୍ୟା ଉଦ୍ୟମ ଓ ଆର୍ମ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ପୂର୍ବରୁ ଗିରଫ ହୋଇସାରିଥିବା ଖାନ୍ ସାରଙ୍କ ଗାର୍ଡ ପୋଲିସ ଆଗରେ ବୟାନ ଦେଇ କହିଛନ୍ତି ଯେ ସେମାନେ ଖାନ୍ ସାରଙ୍କ ନିର୍ଦ୍ଦେଶରେ ହିଁ ଗୁଳି ଚାଳନା କରିଥିଲେ । ଖାନ୍ ସାରଙ୍କ ଗାର୍ଡଙ୍କ ବୟାନକୁ ଆଧାର କରି ପୋଲିସ ଏଫଆଇଆଇ ରୁଜୁ କରିଛି ।
- ରାତିସାରା ୫ଥର କୋଚିଂ ସେଣ୍ଟରରେ ପହଞ୍ଚିଥିଲା ପୋଲିସ
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଗତକାଲି ରାତିସାରା ପୋଲିସର ୫ଟି ଗାଡ଼ି ଅଲଗା ଅଲଗା ସମୟରେ ଖାନ୍ ସାରଙ୍କ କୋଚିଂ ସେଣ୍ଟର ବାହାରେ ପହଞ୍ଚିଥିଲା । ମାତ୍ର ଖାନ୍ ସାରଙ୍କ ଛାତ୍ରଛାତ୍ରୀ କୋଚିଂ ସେଣ୍ଟର ବାହାରେ ଭିଡ଼ ଜମାଇଥିଲେ । ଏହାପରେ ପୋଲିସ ଛାତ୍ରଛାତ୍ରୀଙ୍କୁ ସେଠାରୁ ହଟିବା ଲାଗି ଅପିଲ୍ କରିଥିଲେ, କିନ୍ତୁ ସେମାନେ କୋଚିଂ ସେଣ୍ଟର ବାହାରେ ରାତିସାରା ବସି ରହିଥିଲେ ।
