ଆଜି ଦିଲ୍ଲୀରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିବା ପରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଆଜି ଅପରାହ୍ନ ୪ଟାରେ ଦିଲ୍ଲୀର ‘ସେବା ତୀର୍ଥ’ଠାରେ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ହାଇ-ଲେଭଲ୍ ମିଟିଂର ଅଧ୍ୟକ୍ଷତା କରିବେ ।
ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ସମସ୍ତ କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱ ପ୍ରାପ୍ତ ରାଷ୍ଟ୍ରମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ଦିଲ୍ଲୀରେ ଉପସ୍ଥିତ ରହିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି । ସମସ୍ତ ମନ୍ତ୍ରୀଙ୍କୁ ଜରୁରୀକାଳୀନ ଭାବେ ଦିଲ୍ଲୀରେ ହିଁ ରହିବାକୁ କୁହାଯିବା ପରେ ରାଜନୈତିକ ମହଲରେ ସସପେନ୍ସ ବଢ଼ିଛି ।
ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧ ପରିସ୍ଥିତି ଯୋଗୁଁ ଭାରତୀୟ ଅର୍ଥନୀତି ଉପରେ କ’ଣ ପ୍ରଭାବ ପଡ଼ିବ, ସେ ନେଇ ବୈଠକରେ ବ୍ୟାପକ ସମୀକ୍ଷା କରାଯିବ । ବିଶେଷ କରି ଅଶୋଧିତ ତୈଳର ମୂଲ୍ୟ, ସପ୍ଲାଇ ଚେନ୍ ଏବଂ ମୁଦ୍ରାସ୍ଫୀତି ଉପରେ ଏହାର ପ୍ରଭାବକୁ ନେଇ ଆଲୋଚନା ହେବ । ଜୁନ୍ ୧୦ ତାରିଖରେ ମୋଦୀ ୩.୦ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏହା ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରେ ବଡ଼ଧରଣର ଅଦଳବଦଳ ଏବଂ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର୍ ଧରିଛି । ବୈଠକରେ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯିବା ସହ ଆଗାମୀ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇପାରେ । ଜୁନ୍ ଦ୍ୱିତୀୟ ସପ୍ତାହରେ ଏହି କ୍ୟାବିନେଟ୍ ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

