ଆଇପିଏଲ୍ର ୩୭ତମ ଲିଗ୍ ମୁକାବିଲାରେ ରବିବାର ଚେନ୍ନାଇ ଘରୋଇ ଗ୍ରାଉଣ୍ଡ୍ରେ ଗୁଜରାଟକୁ ଭେଟିବ । ଚେନ୍ନାଇ ଗତ ଗୁରୁବାର ଦିନ ମୁମ୍ବାଇକୁ ହରାଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏହାର ଦିନକ ପରେ ଗୁଜରାଟ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇ ସପ୍ତମ ସ୍ଥାନକୁ ଖସିଛି । ଉଭୟ ଦଳ ପାଇଁ ବର୍ତ୍ତମାନ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ବିଳମ୍ବରେ ହେଉ ପଛେ ଚେନ୍ନାଇ ଧିରେ ଧିରେ ଲୟକୁ ଫେରିଛି । ଅଧିନାୟକ ଋତୁରାଜ ଗାଏକୱାଡଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଚୁପ ରହିଥିଲେ ହେଁ ଅନ୍ୟ ଓପନର ସଞ୍ଜୁ ସାମସନ ୨ଟି ଶତକ ଅର୍ଜନ କରି ଚେନ୍ନାଇର ଦାୟିତ୍ୱ ମୁଣ୍ଡାଇବାକୁ ପ୍ରସ୍ତୁତ ରହିଥିବା ପ୍ରମାଣିତ କରିଛନ୍ତି । କେବଳ ମଧ୍ୟକ୍ରମ ବ୍ୟାଟରଙ୍କ ପ୍ରଦର୍ଶନରେ ଅବନତି ଦଳ ପାଇଁ ଚିନ୍ତାର କାରଣ ସାଜିଛି । ଆଜି ଚେନ୍ନାଇ ଏକାଦଶରେ ପରିବର୍ତ୍ତନ ହେବା ଆଶା କରାଯାଉଛି । ମହେନ୍ଦ୍ର ସିଂହ ଧୋନିଙ୍କ ଖେଳିବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନଥିଲେ ହେଁ ତାଙ୍କ ଖେଳ ଦେଖିବା ଆଶାରେ ସମର୍ଥକ ଏବେଠୁ ଅପେକ୍ଷା କରି ରହିଛନ୍ତି ।
