ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିଛି। ବୁଧବାର ଦିନ ତାପମାତ୍ରା ବୃଦ୍ଧି ପାଇବାରୁ ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ବୁଧବାର ଦେଶର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଝାରସୁଗୁଡ଼ାରେ ତାପମାତ୍ରା ୪୪.୬ଡିଗ୍ରୀ ଛୁଇଁଛି। ସେହିପରି ୪୪.୨ ଡିଗ୍ରୀ ସହ ୱାର୍ଦ୍ଧା ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ବରରେ ବୁଧବାର ଦିନ ତାପମାତ୍ରା ୪୧.୨ ଡିଗ୍ରୀ ରହିଥିଲା। ଗତ କିଛିଦିନ ହେଲା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବା ବେଳେ ଏବେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରଚଣ୍ଡ ରୌଦ୍ରତାପ ହେଲାଣି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୫ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ; କିନ୍ତୁ ୨୬ତାରିଖରୁ ଅନେକ ସ୍ଥାନରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ। ହେଲେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼, ଟିଟିଲାଗଡ଼ ଏବଂ ସମ୍ବଲପୁର ଆଦି କିଛି ଜିଲାରେ ପାରଦ ୪୨ରୁ ୪୩ ଡିଗ୍ରୀ ତଳକୁ ଖସି ନପାରେ। ୨୫ତାରିଖ ରୌଦ୍ରତାପ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ସମ୍ବଲପୁରରେ ବୁଧବାର ପାରଦ ୪୩.୩ ଡିଗ୍ରୀ ଥିବାବେଳେ ହୀରାକୁଦରେ ୪୩.୨, ତାଳଚେରରେ ୪୩.୫, ଢେଙ୍କାନାଳରେ ୪୨.୪, ଟିଟିଲାଗଡ଼ରେ ୪୨.୫, ଅନୁଗୋଳରେ ୪୩.୧, ଭୁବନେଶ୍ବରରେ ୪୧.୨ ଏବଂ କଟକରେ ୩୯.୮ ଡିଗ୍ରୀ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର ଏବଂ ବଲାଙ୍ଗିର ଜିଲାକୁ ଗ୍ରୀଷ୍ମ ଲହରୀ ପାଇଁ ସତର୍କ ସୂଚନା ଜାରି ହୋଇଛି। ଗୁରୁବାର ଟିଟିଲାଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲାରେ ପାରଦ ୪୫ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିପାରେ। ସେହିପରି କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହିତ ଝଡ଼ବର୍ଷା ହୋଇପାରେ। ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିପାରେ। ଏହି ଦୁଇ ଜିଲାକୁ ପାଣିପାଗ ବିଭାଗ କାଳବୈଶାଖୀଜନିତ ସତର୍କତା ଜାରି କରିଛି।
ଉପକୂଳ, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବାୟୁମଣ୍ଡଳ ଉଷ୍ଣ ରହିପାେର। ବାୟୁମଣ୍ଡଳରେ ଉଷ୍ଣ ଆର୍ଦ୍ରତା ରହିବାର ସମ୍ଭାବନା ଥିବାରୁ ବଲାଙ୍ଗିର, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୋଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାରେ ଗରମ ସହିତ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏଥିନିମନ୍ତେ ଏହି ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
