ସୋମବାର ସନ୍ଧ୍ୟାରେ ବଡ଼ଦେଉଳରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ସମ୍ପନ୍ନ ହୋଇଛି । ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିଛନ୍ତି । ଏହି ସ୍ୱତନ୍ତ୍ର ନୀତି ସମୟରେ ଠାକୁରଙ୍କ ଦର୍ଶନ ବନ୍ଦ ରହିଥିଲା । ନୀତି ସରିବା ପରେ ଠାକୁରଙ୍କ ମହାସ୍ନାନ ବଢ଼ି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ।
ସୋମବାର ସନ୍ଧ୍ୟା ୬ଟା ୧୫ରେ ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ସରିଥିଲା । ମଇଲମ ହୋଇଥିଲା ୬ଟା ୨୫ରେ । ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା । ପଇତାଲାଗି ସେବା ପାଇଁ ୬ଟା ୫୦ରେ ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ । ଠାକୁରଙ୍କ ଶ୍ରୀଅଙ୍ଗରେ ପଇତା ଲାଗି ହୋଇଥିଲା । ପାଟବସ୍ତ୍ରକୁ ପଇତା ଭଳି ବଳାଯାଇ ଦାରୁଦେବତାଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା । ସାମୂହିକ ସେବା ଭାବେ ରତ୍ନସିଂହାସନକୁ ଯାଇ ଦଇତାପତିମାନେ ଠାକୁରଙ୍କ ସେବା କରିଥିଲେ । ଚନ୍ଦନଲାଗି ବିଧିପାଇଁ ଏହି ସେବାର ନିତାନ୍ତ ଜରୁରି ଥାଏ । ଉକ୍ତ ନୀତି ସମ୍ପନ୍ନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ମହାସ୍ନାନ ବଢ଼ିଥିଲା । ପରେ ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନର ସୁଯୋଗ ପାଇଥିଲେ ।
