ଆଜି ସନ୍ଧ୍ୟାରେ ଗୁଜରାଟ ଦଳ ଘରୋଇ ଗ୍ରାଉଣ୍ଡ୍ରେ ରାଜସ୍ଥାନକୁ ଭେଟିବ । ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଗୁଜରାଟ ବିଜୟ ଖାତା ଖୋଲିବା ପାଇଁ ତତ୍ପର ଥିବାରୁ ଆଜି ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ । ତଥାପି ରାଜସ୍ଥାନର ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ପାଇଁ ଦୁଃସ୍ୱପ୍ନ ସାଜିବେ । ଗତ ବର୍ଷ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଜରିଆରେ ୧୪ବର୍ଷିୟ ବୈଭବଙ୍କ ଆବିର୍ଭାବ ଘଟିଥିଲା । ସେ ଉକ୍ତ ମ୍ୟାଚରେ ୩୫ଟି ବଲ୍ରୁ ଶତକ ଅର୍ଜନ କରିଥିଲେ । ଏହା ପରଠୁ ବୈଭବ ସବୁ ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ଏଥର ଆଇପିଏଲ୍ରେ ମଧ୍ୟ ସେ ଗତ ଚେନ୍ନାଇ ବିପକ୍ଷ ମ୍ୟାଚରେ ୧୫ଟି ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।
ଗୁଜରାଟ ପ୍ରଥମ ମ୍ୟାଚରେ ପଞ୍ଜାବ ଠାରୁ ପରାଜିତ ହୋଇଥିଲା । ଦୁଇ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲ୍ ଉକ୍ତ ମ୍ୟାଚରେ ବିଫଳ ହୋଇଥିଲେ । ଗତ ସିଜନରେ ଉଭୟଙ୍କ ଓପନିଂ ଭାଗିଦାରୀ ୯୧୨ ରନ ରହିଥିଲା । ଆଜି ଉଭୟ ଲୟକୁ ଫେରିବା ପାଇଁ ଜୋରଦାର ଅଭ୍ୟାସ କରିଛନ୍ତି । ଆଜି ଗୁଜରାଟ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ପ୍ରଥମ ମ୍ୟାଚରେ ନିରାଶ କରିଥିବା କାଗିସୋ ରାବାଡ଼ାଙ୍କ ସ୍ଥାନରେ ଜାସନ ହୋଲ୍ଡର ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କ ଉପସ୍ଥିତି ବୋଲିଂ ସହିତ ଦଳର ବ୍ୟାଟିଂ ଶକ୍ତି ମଧ୍ୟ ବୃଦ୍ଧି କରିବ ।

