ଆଜି ପବିତ୍ର ଗୁଡ୍ ଫ୍ରାଇଡେ । ପ୍ରଭୁ ଯୀଶୁଙ୍କ ବଳିଦାନର ଦିନ। ଇଷ୍ଟର ସଣ୍ଡେ ପୂର୍ବରୁ ଆସୁଥିବା ଶୁକ୍ରବାରକୁ ଗୁଡ୍ ଫ୍ରାଇଡେ କୁହାଯାଏ। ଏହି ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢ଼ାଯାଇଥିଲା। ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ପବିତ୍ର ଓ ଶୋକର ଦିନ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ, ଯୀଶୁ ଖ୍ରୀଷ୍ଟ ମାନବଜାତିର ପାପ ପାଇଁ ନିଜକୁ ବଳିଦାନ ଦେଇଥିଲେ । ସେ ସମସ୍ତଙ୍କ ପାଇଁ କଷ୍ଟ ସହିଲେ ଯେପରି ମଣିଷ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ନିକଟତର ହୋଇପାରିବ। ଏହି ଦିନଟିକୁ ‘ଗୁଡ୍’ ବା ‘ଶୁଭ’ କୁହାଯାଏ । କାରଣ ଯୀଶୁଙ୍କ ମୃତ୍ୟୁ ପରେ ହିଁ ମାନବ ଜାତି ପାଇଁ ଉଦ୍ଧାରର ବାଟ ଫିଟିଥିଲା ।
ଅନେକ ଭାବନ୍ତି ଦୁଃଖର ଦିନଟି କିପରି “ଭଲ” ବା “ଗୁଡ୍” ହେବ? ପୁରୁଣା ଇଂରାଜୀରେ “ଗୁଡ୍” ଶବ୍ଦର ଅର୍ଥ “ପବିତ୍ର” ଥିଲା । ଏହା ଯୀଶୁଙ୍କ ସେହି ପ୍ରେମ ଓ ବଳିଦାନକୁ ବୁଝାଏ ଯାହା ଜଗତ ପାଇଁ କଲ୍ୟାଣକାରୀ ଥିଲା । ବାଇବଲ ଅନୁଯାୟୀ, ପ୍ରଭୁ ଯୀଶୁଙ୍କୁ ଅନ୍ୟାୟ ଭାବେ ବିଚାର କରାଗଲା, ତାଙ୍କୁ ଚାବୁକରେ ମରାଗଲା ଏବଂ କ୍ରୁଶ ଉପରେ କଣ୍ଟା ବିଦ୍ଧ କରି ହତ୍ୟା କରାଗଲା । ସେହି ଦିନ ସାରା ପୃଥିବୀରେ ଅନ୍ଧାର ଘୋଟି ଯାଇଥିଲା । ଏହି ଦିନ ଲୋକମାନେ ଉପବାସ ରଖନ୍ତି ଏବଂ ଆମିଷ ଖାଆନ୍ତି ନାହିଁ । ଚର୍ଚ୍ଚରେ ବିଶେଷ ପ୍ରାର୍ଥନା ସଭା ଅନୁଷ୍ଠିତ ହୁଏ । ଯୀଶୁଙ୍କ ଯନ୍ତ୍ରଣାକୁ ସ୍ମରଣ କରାଯାଏ । ଅନେକ ସ୍ଥାନରେ ଯୀଶୁଙ୍କ କ୍ରୁଶ ଯାତ୍ରାକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରାଯାଏ । ଏହା ଏକ ନିରବତା ଓ ଆତ୍ମ-ସମୀକ୍ଷାର ଦିନ।

