୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ । ଆଉ ସରକାର ହେଲା ପରେ ପଶ୍ଚିମବଙ୍ଗରୁ ଖୋଜି ଖୋଜି ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଭଳି ବୟାନ ଆଜି ଚର୍ଚ୍ଚା ସୃଷ୍ଟି କରିଛି । ସିଧା ସିଧା ଟିଏମସି ସରକାର ଉପରେ ଶାହା ହମଲା କରିଥିବାବେଳେ, ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ ବିଜେପି ବାଜି ମାରିବ ବୋଲି ଶାହା ଦମ୍ଭୋକ୍ତି ଦେଖାଇଛନ୍ତି ।
ଜାଣିରଖିବା ଉଚିତ ଯେ, ଶାହା ଏବେ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ଆଉ ଏହିକ୍ରମରେ ସେ ଆଜି କୋଲକାତାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ, ଗତ ୧୫ ବର୍ଷ ଧରି ପଶ୍ଚିମବଙ୍ଗ ଭୟ, ଦୁର୍ନୀତି ଏବଂ ଅନୁପ୍ରବେଶର ଶିକାର ହୋଇଛି । ତେଣୁ ୨୦୨୬ରେ ବିଜେପି ସରକାର ଗଠନ କରିବା ପରେ ଏହା ବନ୍ଦ ହେବ । ବିଜେପି ସରକାର ଆସିବା ପରେ ପଶ୍ଚିମବଙ୍ଗରୁ ବାଛି ବାଛି ଅନୁପ୍ରବେଶକାରୀଙ୍କୁ ହଟାଯିବ ବୋଲି କହିଛନ୍ତି ଶାହ ।

