ସଂଚାର ବ୍ୟୁରୋ: ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲା। ଧରାପଡିଲା ମୁଖ୍ୟ ଅଭିଯୁକ୍ତ। ସତ୍ୟ ପ୍ରକାଶକୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ବାଡ୍। ତା’ର ଅନ୍ୟ ୨ ସହଯୋଗୀ ବି ଫେରାର୍ ଅଛନ୍ତି। ଖୁବଶୀଘ୍ର ପୋଲିସ ସେମାନଙ୍କୁ ଗିରଫ କରିବ। ଏନେଇ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି ଧଉଳି ପୋଲିସ।
ସୂଚନା ଅନୁଯାୟୀ, ଦୟା ନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ଏବେ କମିଶନରେଟ୍ ପୋଲିସର ମୁଣ୍ଡ ବ୍ୟଥା ବଢ଼ାଇଛି । ଘଟଣାକୁ ସପ୍ତାହେ ବିତିବା ସତ୍ତ୍ଵେ ଏଯାଏ ସବୁ ଅଭିଯୁକ୍ତ ଧରାପଡ଼ି ନାହାଁନ୍ତି। ମାମଲା ରେଡ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ଓରଫ ହାପିକୁ ପୋଲିସ ଗଞ୍ଜାମରୁ ଉଠାଇ ଆଣିଛି। ଖୁବଶୀଘ୍ର ତା’ର ଅନ୍ୟ ୨ ସହଯୋଗୀ ଧରାପଡ଼ିବେ।
ଗତ ସପ୍ତାହରେ ଜାମିନରେ ଆସିବା ପରେ ବୁଧବାର ଦିନ ଜଘନ୍ୟ କାଣ୍ଡ ଭିଆଇଥିଲା ହାପି। ଅଭିଯୁକ୍ତ ନାଁରେ ଆଗରୁ ମଧ୍ୟ ବହୁ ମାମଲା ରହିଛି। 2018 ମସିହାରେ ଗାଡି ଚୋରି କରି ପ୍ରଥମେ ଜେଲ୍ ଯାଇଥିଲା ହାପି । ପରେ ଜାମିନରେ ଆସିବା ପରେ 2022ରେ ଶିଶୁପାଳଗଡ଼ରେ ଜଣଙ୍କୁ ବ୍ଲେଡ ମାରି ଗିରଫ ହୋଇ ଜେଲ୍ ଯାଇଥିଲା। 2024 ଫେବୃଆରୀରେ ଗାଁରେ ଗଣ୍ଡଗୋଳ ଓ ମାରପିଟ ସହ ପୋଲିସକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଗିରଫଦାରୀ ଭୟରେ କୋର୍ଟରେ ଆତ୍ମସମର୍ପଣ କରିଥିଲା ହାପି । ପରେ ଜୁନ 2025ରେ ପୁରୀ ବାଇପାସରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ବୋତଲରେ ବାଡେଇ ଗିରଫ ହୋଇଥିଲା ହାପି । ବଡ଼ଗଡ଼, ଧଉଳି ଥାନାରେ 20ରୁ ଅଧିକ ମାମଲା ରହିଛି।
