ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ଏଥିପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ସୋମବାର ଅନଲାଇନ୍ ମଧ୍ୟମରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା । ‘ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍’ ଏବଂ ୱେବସାଇଟ୍ରେ ଲୋକେ ଟିକଟ ବୁକ୍ କରିପାରିବେ ବୋଲି ଗତ ରବିବାର ଓସିଏ ସମ୍ପାଦକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
କିନ୍ତୁ ଓ୍ବେବସାଇଟ୍ ଖୋଲୁ ଖୋଲୁ ସବୁ ଟିକେଟ୍ ସରି ଯାଇଥିଲା । ହଜାର ହଜାର କ୍ରିକେଟ୍ ପ୍ରେମୀ ଅନଲାଇନ୍ରେ ଟିକେଟ୍ ବୁକ୍ କରି ମ୍ୟାଚ୍ ଦେଖିବାକୁ ଯିବାକୁ ଆଶା କରିଥିଲେ । କିନ୍ତୁ ଅନଲାଇନ୍ ବୁକିଂ ଆରମ୍ଭ ହେବା ମାତ୍ରେ ହିଁ ସବୁ ଟିକେଟ୍ ସରି ଯାଇଥିଲା । ଯାହାଫଳରେ ଟିକେଟ୍ ନପାଇ କ୍ରିକେଟ୍ ପ୍ରେମୀ ନିରାଶ ହୋଇଛନ୍ତି ।
ତେବେ ଏଥର ମାତ୍ର ୨ ହଜାର ଟିକେଟ୍ ଅନଲାଇନ୍ରେ ଉପଲବ୍ଧ ହୋଇଥିଲା । ତେବେ ଯେଉଁମାନେ ଅନଲାଇନ୍ରେ ଟିକେଟ୍ କରିଛନ୍ତି ସେମାନେ ଆସନ୍ତା ୮ ଓ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ଖୋଲିଥିବା ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ୍ ରିଡିମ୍ କରିପାରିବେ । ସେଠାରୁ ସେମାନେ ଟିକଟ୍ର ହାର୍ଡକପି ସଂଗ୍ରହ କରି ପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଓସିଏ ସମ୍ପାଦକ ।
ସେହିପରି ଡିସେମ୍ବର ୩ ଓ ୪ରେ ଓସିଏ ସହ ଅନୁବନ୍ଧିତ ୟୁନିଟ୍ଗୁଡ଼ିକୁ ଟିକେଟ ବିକ୍ରି କରାଯିବ । ମୋଟ ୪୨ ହଜାର ଟିକେଟରୁ ୧୧ ହଜାର ଟିକେଟ ଅନୁବନ୍ଧିତ ୟୁନିଟ୍ କିଣିବେ । ୧୦ ହଜାର ଟିକେଟ କାଉଣ୍ଟରରେ ବିକ୍ରି କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

